ଖୋଲା ଛାତତଳେ ପାଠପଢ଼ା
ଚୌଦ୍ୱାର (ଆପ୍ର):ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରୁଥିବାବେଳେ ଏବେବି କିଛି ପ୍ରାଥମିକ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ବିଦ୍ୟାଳୟର ପରିଚାଳନାଗତ ତ୍ରୁଟି ହେଉ ଅବା ପ୍ରଶାସନର ଅବହେଳା ହେତୁ ଛପର ନଥିବା ବିଦ୍ୟାଳୟ ଘରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାଏ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଚୌଦ୍ୱାର ପୌରପାଳିକା ଅଧୀନ ୮ନଂ ୱାର୍ଡ ଦୁର୍ଗା ବଜାର ଅଞ୍ଚଳରେ ଥିବା ଦୁର୍ଗା ବଜାର ପ୍ରାଥମିକ ବିଦ୍ୟାଳୟରେ । ଫାନି ମହାବାତ୍ୟାରେ ବିଦ୍ୟାଳୟର ୩ଟି ଘରର ଅଜବେଷ୍ଟସ ଭାଙ୍ଗି ରୁଜି ଯାଇଥିଲା । ମହାବାତ୍ୟା ଯିବାର ଆଜିକୁ ୩ବର୍ଷ ବିତି ଯାଇଥିଲେ ହେଁ ଏଯାବତ୍ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇପାରି ନାହିଁ । ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ପିଲା ଖୋଲା ଛାତ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ବାତ୍ୟାପରେ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗୋଟିଏ ବଖରା ଘର ମରାମତି କରାଯାଇ ପାରିଛି ବୋଲି କୁହନ୍ତି ପୂର୍ବତନ ପରିଚାଳନା କମିଟି ସଭାପତି ସନ୍ତୋଷ କୁଅଁର । ବିଦ୍ୟାଳୟର ଦୁରାବସ୍ଥା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ତରଫରୁ ବ୍ଲକ୍ ଶିକ୍ଷାଧିକାରୀ ଓ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ଆଜି ପର୍ଯ୍ୟନ୍ତ ମରାମତି କରାଯାଇ ପାରିନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ।