ସଂକୁଚିତ ହେବ ଅଫ୍ସ୍ପା ଆଇନ

ଆସାମ-ମଣିପୁର-ନାଗାଲାଣ୍ଡବାସୀଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ (ଏଜେନ୍ସି): ଉତ୍ତର-ପୂର୍ବାଞ୍ଚଳର ୩ଟି ରାଜ୍ୟ ଆସାମ, ମଣିପୁର ଓ ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ୍ (ଅଫସ୍ପା)କୁ କିଛି ମାତ୍ରାରେ ସଂକୁଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଏସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା । ସେହିପରି ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଏହି ନୂଆ ନିୟମ ଏପ୍ରିଲ ୧ରୁ ଅର୍ଥାତ୍ ଶୁକ୍ରବାର ଠାରୁ ଲାଗୁ କରାଯିବ । ତଦନୁସାରେ ନାଗାଲଣ୍ଡର ୭ଜିଲ୍ଲାରେ ଥିବା ୧୫ ପୁଲିସ ଷ୍ଟେସନ୍, ଆସାମର ମୋଟ୍ ୨୪ ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାରୁ ଏବଂ ମଣିପୁରର ୬ ଜିଲ୍ଲାରେ ଥିବା ୧୫ ପୁଲିସ ଷ୍ଟେସନ୍ ବିବାଦୀୟ ଅଞ୍ଚଳକୁ ଅଫ୍ସ୍ପା ଆଇନ୍ ମୁକ୍ତ କରାଯିବ । ତେବେ ଦୀର୍ଘଦିନ ଧରି ଏହି ୩ ରାଜ୍ୟ ପକ୍ଷରୁ ଅଫସ୍ପା ଆଇନ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବା ନେଇ ଦାବି କରାଯାଇଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏପ୍ରକାର ନିଷ୍ପତ୍ତି ଦ୍ୱାରା ସ୍ଥାନୀୟ ନାଗରିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ଶାହାଙ୍କ କହିବାନୁସାରେ ଏହି ୩ ରାଜ୍ୟରେ ଚିହ୍ନଟ ହୋଇଥିବା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅଫସ୍ପା ଆଇନ୍କୁ କଡାକଡି ଭାବେ ଲାଗୁ କରାଯିବ । ତେବେ ଯେଉଁ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ ରହିଛି ସେସବୁ ଅଞ୍ଚଳରୁ ଅଫ୍ସ୍ପାକୁ ପ୍ରତ୍ୟାହାର କରିନିଆଯିବ । ଏଥିସହ ଏହି ୩ ରାଜ୍ୟରେ ଆଜି ପର୍ଯ୍ୟନ୍ତ ତାଲିକାଭୁକ୍ତ ଥିବା ଅଶାନ୍ତ ଅଞ୍ଚଳ ସଂଖ୍ୟାକୁ ମଧ୍ୟ ହ୍ରାସ କରାଯିବ । ସୂଚନାଯୋଗ୍ୟ ସଦ୍ୟ ସମାପ୍ତ ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ମଣିପୁର ବିଧାନସଭା ମଧ୍ୟ ସାମିଲ ଥିଲା । ବିଜେପି ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ଭାବେ କ୍ଷମତାକୁ ଆସିଲେ ଅଫ୍ସ୍ପା ଆଇନ୍ ପ୍ରତ୍ୟାହାର କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ବିଜେପି ଏବେ ମଣିପୁରରେ ସରକାର ଗଢ଼ିଥିବା ବେଳେ ଦଳ ନିଜ ପ୍ରତିଶ୍ରୁତି ପାଳନ କରିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ, ସରକାରୀ ତଥ୍ୟ ଅନୁସାରେ ୨ଠ୧୪ ତୁଳନାରେ ୨ଠ୨୧ ସୁଦ୍ଧା ଏହି ୩ ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ୭୪% ହ୍ରାସ ପାଇଛି । ସେହିପରି ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ମୃତୁ୍ୟ ସଂଖ୍ୟା ମଧ୍ୟ ଯଥାକ୍ରମେ ୬ଠ% ଓ ୮୪% ଖସିଆସିଛି । ଏହି ୩ ରାଜ୍ୟ ବ୍ୟତୀତ ଜମ୍ମୁ କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ଅଫ୍ସ୍ପା ଆଇନ୍ ଲାଗୁ ରହିଛି । ତେବେ ବର୍ତ୍ତମାନ ସମୟରେ ଏସବୁ ଅଞ୍ଚଳରୁ ଅଫ୍ସ୍ପା କ୍ଷମତା ସମ୍ପ୍ରସାରଣ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *