ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ମଞ୍ଜୁର; ୨୧୫ ଭୋଟରେ ପାସ

ନୂଆଦିଲ୍ଲୀ: ସଂସଦ ବିଶେଷ ଅଧିବେଶନର ଗୁରୁବାର ଚତୁର୍ଥ ଦିନରେ ମହିଳା ଆରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଧନ ଅଧିନିୟମ) ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ବିଲ୍ ସପକ୍ଷରେ ୨୧୫ ସାଂସଦ ଭୋଟ୍ ଦେଇଥିବା ବେଳେ ବିପକ୍ଷରେ ଗୋଟିଏ ହେଲେ ଭୋଟ୍ ପଡିନାହିଁ । ଭୋଟିଂ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ସର୍ବସମ୍ମତିକ୍ରମେ ବିଲ୍କୁ ପାସ୍ କରାଇବା ଲାଗି ସେ ସବୁ ସାଂସଦଙ୍କୁ ନିବେଦନ କରିଥିଲେ । ବିଲ୍ ପାସ୍ ହେବା ପରେସଂସଦ ଭବନରେ ମିଠାଇ ବଣ୍ଟା ଯାଇଥିଲା । ଏବେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା ଆଇନରେ ପରିଣତ ହେବ । ଫଳତଃ ଲୋକସଭା ଓ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ହେବ । ଆଇନ ଲାଗୁ ହେଲେ ଲୋକସଭାରେ ମହିଳା ସାଂସଦ ସଂଖ୍ୟା ହେବ ୧୮୧ ।

ରାଜ୍ୟସଭାରେ ଆଲୋଚନା ପାଇଁ ସାଢେ ୭ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଥିଲା । ଦିନସାରା ଆଲୋଚନା ପରେ କଂଗ୍ରେସର କେତେକ ସାଂସଦଙ୍କ ପକ୍ଷରୁ ୩୩% ମହିଳା ଆରକ୍ଷଣ ଭିତରେ ଓବିସି କୋଟା ପାଇଁ ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । କଂଗ୍ରେସ ସାଂସଦମାନେ ଆଣିଥିବା ଏହି ସଂଶୋଧନ ପ୍ରସ୍ତାବରେ ୩୩% କୋଟା ଭିତରେ ଓବିସିଙ୍କ ପାଇଁ କୋଟା ନିର୍ଦ୍ଧାରଣ ଦାବି କରାଯାଇଛି । ତାହା ସହିତ ଏହାକୁ ତକ୍ରାଳ ଲାଗୁ କରିବା ପାଇଁ ସଂଶୋଧନ ପେସ୍ କରାଯାଇଥିଲା ।

କଂଗ୍ରେସ ସାଂସଦ ନାସିର ହୁସେନ୍, ନୀରଜ ଡାଙ୍ଗି, ଅମି ୟାଜନିକ, ରଣଜିତ୍ ରଞ୍ଜନ, ରଜନୀ ପାଟିଲ, ଫୁଲୋ ଦେବୀ ନେତାମ, ରାଜମଣି ପଟେଲ୍, ଜେବି ମାଥେର ଓ ଡ. ଏଲ୍ ହନୁମନ୍ତେୟା ଏହି ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ମଧ୍ୟ କଂଗ୍ରେସ ପକ୍ଷରୁ ଏହି ଦୁଇ ପ୍ରସଙ୍ଗ ଉପରେ ଜୋର ଦିଆଯାଇଥିଲା । କିନ୍ତୁ ସେମାନଙ୍କ ପକ୍ଷରୁ ସଂଶୋଧନ ପେସ୍ କରାଯାଇ ନ ଥିଲା । ହାଇଦରାବାଦ୍ ସାଂସଦ ଅସଦୁଦ୍ଦୀନ ଓବେସିଙ୍କ ଦଳ ଏଆଇଏମ୍ଆଇଏମ୍ ତରଫରୁ ଯେଉଁ କେତେକ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା ସେ ସବୁ ଅଗ୍ରାହ୍ୟ ହୋଇଥିଲା ।

ପୂର୍ବରୁ କୁହାଯାଇଥିଲା ଯେ ଏହି ବିଧେୟକକୁ ଲାଗୁ କରିବା ପାଇଁ ଅତିକମ୍ ଅଧେ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହେବ । କିନ୍ତୁ କେନ୍ଦ୍ର ସରକାରଙ୍କ ସୂତ୍ର ଅନୁଯାୟୀ, ଥରେ ଏହି ବିଲ୍ ସଂସଦରେ ପାସ୍ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରିପ୍ରାପ୍ତ ହେଲେ ତାହା ସ୍ୱତଃ ବିଧାନସଭାଗୁଡିକ ପ୍ରତି ଲାଗୁ ହେବ । ଏଥିପାଇଁ ବିଧାନସଭାଗୁଡିକର ଅନୁମୋଦନ ନେବା ଆବଶ୍ୟକ ହେବନାହିଁ । ବିଧାନସଭାଗୁଡିକର ଆସନ ସଂଖ୍ୟା ସ୍ଥିର କରିବା ସଂସଦର ଏକ ବିଶେଷାଧିକାର ବୋଲି ଜଣେ ବରିଷ୍ଠ କେନ୍ଦ୍ରୀୟ ପଦାଧିକାରୀ କହିଛନ୍ତି । ସେ କହିଛନ୍ତି, ଏଥିରେ ବିଧାନସଭାଗୁଡିକର କୌଣସି ଭୂମିକା ନାହିଁ । ଏହି ହିସାବରେ ସଂସଦର ଦୁଇ ସଦନରେ ବିଲ୍ ପାସ୍ ହେବା ଓ ରାଷ୍ଟ୍ରପତି ସେଥିରେ ସ୍ୱାକ୍ଷର କରିବା ପରେ ସମ୍ବିଧାନ ସଂଶୋଧନ ମଞ୍ଜୁର ହୋଇଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *