ଚଳନ୍ତା ବସ୍ ରୋକିଲା ଦନ୍ତା
ରାସ୍ତା ମଝିରେ ଉପଦ୍ରବ, ଭାଙ୍ଗିଲା କାଚ
ରାୟଗଡା, ୪ା୯(ଆପ୍ର): ରାୟଗଡ଼ା ଓ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର୍କୁ ଯାତାୟାତ କରୁଥିବା ଶ୍ରୀ ବିଜୟ ଦୁର୍ଗା ବସ୍କୁ ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଏକ ଜଙ୍ଗଲୀ ହାତୀ ପାର୍ବତୀପୁର ପୂର୍ବରୁ ଆର୍ତାମ ଗାଁ ନିକଟରେ ଥିବା କାଲିକୁଟା ଛକ ନିକଟରେ ରାସ୍ତା ମଝିରେ ଅଟକାଇ ଉପଦ୍ରବ କରୁଥିବା ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ଣ ୯.୩୦ ବେଳେ ଉକ୍ତ ବସ୍ ରାୟଗଡ଼ ବସ୍ ଷ୍ଟାଣ୍ଡରୁ ବାହାରି ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ଯିବା ସମୟରେ ଏଭଳି ଘଟିଥିବା ଜଣାପଡିଛି । ବସ ଡ୍ରାଇଭରଙ୍କ କହିବା ଅନୁଯାୟୀ ରାସ୍ତା ମଝିରେ ହାତୀଟି ଛିଡା ହୋଇଥିବା ଦେଖିବା ପରେ ୨ ଶହ ମିଟର ପୂର୍ବରୁ ବସ୍ଟିକୁ ଅଟକାଇଥିଲେ । କିନ୍ତୁ ଅନ୍ୟପଟେ ଲୋକମାନେ ହୋ-ହାଲ୍ଲା କରିବାରୁ ହାତୀଟି ଦୌଡ଼ି ଆସି ବସର ସାମ୍ନା କାଚ ଭାଙ୍ଗିବା ସହ ଠେଲିବା ଆରମ୍ଭ କରିଦେଇଥିଲା । ସେହି ସମୟରେ ସମସ୍ତ ଯାତ୍ରୀ ଏବଂ ଡ୍ରାଇଭର ଭୟଭୀତ ଅବସ୍ଥାରେ ରହିଥିଲେ । କିନ୍ତୁ ଡ୍ରାଇଭର ଯାତ୍ରୀଙ୍କୁ କିଭଳି ସୁରକ୍ଷା କରିବେ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଡ୍ରାଇଭର ।
ଉକ୍ତ ଅଞ୍ଚଳରେ ପନିପରିବା ତଥା କଦଳୀ ଚାଷ ବହୁଳ ଭାବରେ ହେଉଥିବା ବେଳେ ଏହି ଅଞ୍ଚଳରେ ଅନେକ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳେ । ଜଙ୍ଗଲରେ ନିଜ ପାଇଁ ଖାଦ୍ୟ ପାଉନଥିବା ଯୋଗୁଁ ଏହି ହାତୀ ପଲ ଗାଁ ଓ ସହର ମୁହାଁ ହେଉଛନ୍ତି ।