ରାଜ୍ୟର ୭ ସାମଗ୍ରୀକୁ ଜିଆଇ ଟ୍ୟାଗ୍
ଭୁବନେଶ୍ୱର, ୧ା୯(ବୁ୍ୟରୋ): ରାଜ୍ୟର ୭ ସାମଗ୍ରୀ ଯଥା- ନୟାଗଡର କଣ୍ଟେଇମୁଣ୍ଡି ବାଇଗଣ, ଢେଙ୍କାନାଳର ମଗଜି ଲଡୁ, ଲାଞ୍ଜିଆ ସଉରାଙ୍କ ଖଜୁରୀ ଗୁଡ ଓ ଚିତ୍ରକଳା ଇଡିତାଲ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରଡରି ସାଲ କପଡାଗଣ୍ଡା, କୋରାପୁଟର କଳାଜିରା ଚାଉଳ ଓ ମୟୂରଭଞ୍ଜର ନାଲିକାଇ ଚଟଣିକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ମାନ୍ୟତା । ଏନେଇ ଜିଆଇ ରେଜିଷ୍ଟ୍ରି ୱେବସାଇଟ୍ରେ ବିଜ୍ଞପ୍ତି ଜାରି ହୋଇଛି ।
କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ ୧୦୦ ବର୍ଷ ତଳୁ ଚାଷ ହୋଇ ଆସୁଛି । ଏହି ବାଇଗଣ କଣ୍ଟିଲୋ, ଭାପୁର ବ୍ଲକର ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଓ ଧଞ୍ଜାଗଣ୍ଡା ସମେତ ଖଣ୍ଡପଡ଼ା ବ୍ଲକର ରତନପୁର ଓ ବଡ଼ବାନପୁର ଅଞ୍ଚଳରେ ମିଳିଥାଏ । ଏହି ବାଇଗଣ ଅତ୍ୟନ୍ତ ସୁସ୍ୱାଦୁ । ଏହା ପ୍ରାୟତଃ ବାଲିଆ ଜମିରେ ଉଭୟ ଖରିଫ ଓ ଋବି ଋତୁରେ ହୋଇଥାଏ । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ଦେବା ନିମନ୍ତେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁରର ନୀଳମାଧବ କୃଷି ସଂଗଠନ ପକ୍ଷରୁ ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଆବେଦନ କରିଥିଲା ।