କୋଟାରେ ପୁଣି ଆତ୍ମହତ୍ୟା
କୋଟା, ୨୮ା୮: ରାଜସ୍ଥାନର କୋଟା ଦେଶର ଏକ ବଡ଼ ଶିକ୍ଷା କେନ୍ଦ୍ର । ଇଞ୍ଜିନିୟରିଂ, ମେଡିକାଲ କୋଚିଂ ହବ୍ କୁହାଯାଉଥିବା କୋଟା ସହରରେ ଏବେ ପାଲଟିଛି ଆତ୍ମହତ୍ୟା ହବ୍ । ରବିବାର କୋଟାର ଏକ କୋଚିଂ ସେଣ୍ଟରରେ ପ୍ରସ୍ତୁତ ହେଉଥିବା ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଅଗଷ୍ଟ ୧୬ରେ ମଧ୍ୟ ଏଠାରେ ଜଣେ କୋଚିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିଲେ । ଚଳିତ ବର୍ଷ ଏଯାବତ୍୨୪ ଜଣ ଛାତ୍ରଙ୍କ ଜୀବନ ଯାଇ ସାରିଲାଣି ।
ରବିବାର ଜଣେ ଛାତ୍ର କୋଚିଂ ସେଣ୍ଟରରେ ଟେଷ୍ଟ ଦେବା ପରେ କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ମହାରାଷ୍ଟ୍ର ଲାତୁର ଜିଲ୍ଲାର ଆବିଷ୍କାର ସମ୍ଭାଜୀ କାସଲେ (୧୬) ସେ ଗତ ତିନିବର୍ଷ ଧରି କୋଟାର ତଲୱଣ୍ଡି ଇଲାକାରେ ଥିବା ସଂସ୍ଥାରେ କୋଚିଂ ନେଉଥିଲେ । ଛାତରୁ ଡେଇଁବା ସମୟର ଦୃଶ୍ୟ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ରବିବାର ସେ ରୋଡ୍ ନମ୍ବର-୧ ସ୍ଥିତ କୋଚିଂ ସେଣ୍ଟରକୁ ଟେଷ୍ଟ ଦେବାକୁ ଯାଇଥିଲେ ।
ଅନ୍ୟ ଜଣେ ମୃତ ଛାତ୍ର ହେଲେ ବିହାର ରୋହିତାଶ୍ୱ ଜିଲ୍ଲାର ଆଦର୍ଶ ରାଜ୍ (୧୮ବର୍ଷ) । ଆଦର୍ଶ ତାଙ୍କ ଭଡ଼ା ଘରେ ରାତି ୭ଟାବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ରବିବାର ଟେଷ୍ଟରେ କମ୍ ନମ୍ବର ଆସିବା ଭୟରେ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଆଦର୍ଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।
ଅଧିକାଂଶ କୋଚିଂ ସେଣ୍ଟରରେ ରବିବାର ପରୀକ୍ଷା କରାଯାଇଥାଏ । କୋଟା କଲେକ୍ଟର ଓପି ବୁନକର ଅଗଷ୍ଟ ୧୨ ତାରିଖ ଦିନ ଗାଇଡ୍ ଲାଇନ୍ ଜାରି କରି କୋଚିଂ ସେଣ୍ଟର ପରିଚାଳକମାନଙ୍କୁ ରବିବାର କୌଣସି ଟେଷ୍ଟ ନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ତା ସତ୍ତ୍ୱେ ରବିବାର ଛାତ୍ରଛାତ୍ରୀଙ୍କ ଟେଷ୍ଟ ନେବା ବନ୍ଦ ହୋଇ ନ ଥିଲା । ଅଗଷ୍ଟ ୨୮ରେ ୨ଜଣ ଛାତ୍ର ଟେଷ୍ଟରେ ଭଲ ନମ୍ବର ରଖି ନ ପାରି ଗଭୀର ହତାଶାରେ ଆତ୍ମହତ୍ୟା କରିବା ପରେ ଜିଲ୍ଲାପାଳ ରାତାରାତି ଆଉ ଏକ କଠୋର ଆଦେଶ ଜାରି କରିଛନ୍ତି । ସେଥିରେ କୁହାଯାଇଛି ଆସନ୍ତା ୨ ମାସ ପର୍ଯ୍ୟନ୍ତ କୌଣସିି ଶିକ୍ଷାର୍ଥୀଙ୍କ ଟେଷ୍ଟ କରାଯାଇ ପାରିବ ନାହିଁ ।