୬ କାଉଡ଼ିଆଙ୍କ ମୃତୁ୍ୟ

ବିଭିନ୍ନ ସ୍ଥାନରେ ଅଘଟଣ
ଆସିକା/କେନ୍ଦୁଝର/ଆଠମଲ୍ଲିକ, ୨୧ା୮ (ଆପ୍ର): ପୁରୁଷୋତ୍ତମ ମାସ ଯୋଗୁ ପ୍ରାୟ ଦୁଇ ସପ୍ତାହ ବନ୍ଦ ରହିବା ପରେ ଆରମ୍ଭ ହୋଇଛି ଶ୍ରାବଣୀ ଯାତ୍ରା । ହେଲେ ଆରମ୍ଭରୁ ଘଟିଛି ଅଘଟଣ । ଜଳଭାର ନେଇ ଯାଉଥିବା ସମୟରେ କେନ୍ଦୁଝର, ଆସିକା ଓ ଆଠମଲ୍ଲିକ ଅଞ୍ଚଳରେ ଦୁର୍ଘଟଣା ଘଟି ୬ କାଉଡିଆଙ୍କ ମୃତୁ୍ୟ ହୋଇଛି ଓ ୧୪ ଜଣ ଆହତ ହୋଇଛନ୍ତି ।
ଆସିକା ଅଞ୍ଚଳରେ ଦୁଇ କାଉଡିଆଙ୍କର କାର୍ ଧକ୍କାରେ ମୃତୁ୍ୟ ଘଟିଛି । ବୁଗୁଡା ବ୍ଲକ ବାଲିପଦର ନିକଟସ୍ଥ ଅରଖପୁର ଗ୍ରାମର ୧୭ ଜଣ କାଉଡିଆ ଆସିକା ସ୍ଥିତ ଋଷିକୁଲ୍ୟା ଓ ବଡ଼ନଦୀର ସଙ୍ଗମସ୍ଥଳରୁ ଜଳଭାର ଧରି ଯାଉଥିବା ସମୟରେ ରବିବାର ବିଳମ୍ବିତ ରାତିରେ କୋଟିନଡା ଥାନା ୩୦ ନମ୍ବର ରାଜ୍ୟ ରାଜପଥର ଭେଟନଇ-ଭେଜିପୁଟ ନିକଟରେ ସେମାନଙ୍କୁ କାର୍ ଧକ୍କା ଦେଇଛି । ଘଟଣାସ୍ଥଳରେ ଅରଖପୁର ଗ୍ରାମର ଅଙ୍ଗନବାଡି କର୍ମୀ ଅନିତା କୁମାରୀ ସ୍ୱାଇଁ (ବୟସ ୩୭) ଓ ମୁକୁନା ବେହେରା ନାମକ ଜଣେ ଯୁବକଙ୍କର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ୧୦ରୁ ଊଦ୍ଧ୍ୱର୍ କାଉଡିଆ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନିତାଙ୍କ କନ୍ୟା ସୋନିଆ ଜେନା (୧୮)ଙ୍କ ଅବସ୍ଥା ଗୁରୁତର ରହିଛି ।
ଅରଖପୁର ଗ୍ରାମର ଏହି କାଉଡିଆମାନେ ପୁଡୁଗେଶ୍ୱର ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀରେ ପାରମ୍ପରିତ ରୀତିନୀତି ଅନୁଯାୟୀ
ପୂଜାର୍ଚ୍ଚନା ସାରିବା ପରେ ନିଜ ଗ୍ରାମର ପ୍ରସିଦ୍ଧ ଶୈବପୀଠ ତାଡ଼କେଶ୍ୱର ଶିବ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ଅନିତା କୁମାରୀଙ୍କ ସ୍ୱାମୀ ସୁଶାନ୍ତ ଜେନା ଏକ ଲିଖିତ ଏତଲା ଦାୟର କରିବା ପରେ କୋଟିନଡା ଥାନା ପୁଲିସ ୨୨୮/୨୦୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଦୁଇ ବୋଲ୍‌ବମ୍‌ ଭକ୍ତଙ୍କ ଅକାଳ ବିୟୋଗକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସେହିପରି ଆଠମଲ୍ଲିକ ଦେଉଳଝରୀ ଶୈବପୀଠକୁ ଜଳଲାଗି ପାଇଁ ଆସିଥିବା ବନରପାଳ ଥାନା ଜୁରାଗାଡ଼ିଅ । ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ସରୋଜ ସାହୁ (୨୪) ମହାନଦୀରେ ବୁଡ଼ଯାଇଛନ୍ତି । ସାଙ୍ଗସାଥଙ୍କ ସହିତ ସରୋଜ ଦେଉଳଝରୀ ଶୈବପୀଠରେ ଜଳଲାଗି କରିବା ପରେ ମହାନଦୀ କୂଳ ବିନିକେୟୀ ପୀଠରେ ରନ୍ଧାବଢ଼ା କରି ଖାଇଥିଲେ । ଖାଇସାରିବା ପରେ ସେ ମହାନଦୀକୁ ଶୌଚ ହେବା ଲାଗି ଯାଇ ବୁଡ଼ିଯାଇଥିଲେ । ସେ ୨/୩ ଥର ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । ଜଣେ ସାଙ୍ଗ ଏହା ଦେଖି ପାଟିକରିଥିଲା । ଅନ୍ୟ ସାଙ୍ଗସାଥି ଓ ସ୍ଥାନୀୟ ଲୋକେ ଡଙ୍ଗାରେ ଯାଇ ବହୁ ଖୋଜାଖୋଜି ପରେ ଅଚେତ ଅବସ୍ଥାରେ ସରୋଜକୁ ଉଦ୍ଧାର କରି ୧୦୮ରେ ଆଠମଲ୍ଲିକ ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଏଡା ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ବ୍ରହ୍ମାନନ୍ଦ ସାହୁ ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛନ୍ତି ।
ଏତଦ୍ଭିନ୍ନ କେନ୍ଦୁଝର ଜିଲ୍ଲାରେ ଜଳାଭିଷେକ ସାରି ଅଟୋରେ ଫେରୁଥିବା କାଉଡ଼ିଆଙ୍କୁ କଣ୍ଟେନର ଧକ୍କା ଦେବାରୁ ୩ ଜଣ ପ୍ରାଣ ହରାଇଛନ୍ତି ଓ ୪ ଜଣ ଗୁରୁତର ହୋଇଛନ୍ତି । ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତର ସନ୍ତେଇଭଞ୍ଜ ଗ୍ରାମକୁ କାଉଡିଆମାନେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି । ମୃତକମାନେ ହେଲେ ସନ୍ତେଇଭଞ୍ଜ ଗ୍ରାମର ଦୀପକ କୁମାର ନାଏକ (୨୫), ଗୁରୁ ନାଏକ (୪୫) ଓ ଲିଙ୍ଗା ନାଏକ (୫୦) । ପିନୁ ପ୍ରଧାନ (୧୯), ରଞ୍ଜନ ନାଏକ (୨୬), ତାପସ ନାଏକ (୨୬) ଓ ଅଟୋ ଚାଳକ ରାଇପାଳ ଗ୍ରାମର କଳିଙ୍ଗ ପେଣ୍ଠେଇ (୨୦) ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।
ନ୍ତେଇଭଞ୍ଜ ଗ୍ରାମରୁ ଏକ ଡାଲା ଅଟୋରେ ୮ ଜଣ ସ୍ୱାମପାଟଣା ଶିବ ମନ୍ଦିରରେ ପାଣି ଢାଳି ଫେରିବା ସମୟରେ ସୋମବାର ସନ୍ଧ୍ୟା ପ୍ରାୟ ୬.୪୦ରେ ଫେରୁଥିଲେ । କିନ୍ତୁ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଠାକୁରାଣୀଶାଳ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଏକ ହମ୍ପ୍ସରେ ଅଟୋ ବ୍ରେକ୍ ମାରିବାରୁ ପଛରୁ ଏକ କଣ୍ଟେନର ଧକ୍କା ଦେଇଥିଲା । ମୃତ ଓ ଆହତମାନଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତୁରୁମୁଙ୍ଗା ଥାନାଧିକାରୀ ଇନ୍ଦ୍ରଜିତ ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଦୁର୍ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ଲୋକଙ୍କୁ ବୁଝାସୁଝା କରି ରାସ୍ତା ସଫା କରିଥିଲା ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *