ମହାନତା ଦେଖାଇଲେ ୫-ଟି ସଚିବ
ପୁରୀ, ୨୦ ।୮ (ବୁ୍ୟରୋ): ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଛାଡ଼ି ଦେଇଛି । ଗତକାଲି ବିଳମ୍ବିତ ରାତିରେ ଅଣ୍ଡରଟେକିଂ ରଖି ଭାସ୍କରଙ୍କୁ ଛାଡ଼ି ଦିଆଯାଇଛି । ସଚିବଙ୍କ ନିଦେ୍ର୍ଦଶକ୍ରମେ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି । ଭାସ୍କରଙ୍କୁ ପୁଲିସ ଛାଡ଼ିଦେବା ପରେ ପରିବାର ଲୋକେ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସତ୍ୟବାଦୀ ଉକ୍ରଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଗତକାଲି କାଳିମାଡ଼ ହୋଇଥିଲା । ୫ଟି ସଚିବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ କାଳି ପଡ଼ିଥିଲା ।
ପୁଲିସ ନିକଟରୁ ମୁକୁଳିବା ପରେ ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଭାସ୍କର କହିଛନ୍ତି ଯେ, ପ୍ରତିବାଦର ଏହି ବାଟ ଠିକ୍ ନ ଥିଲା । ଏଥି ପାଇଁ ମୁଁ ଅନୁତପ୍ତ । ତେବେ ଅଞ୍ଚଳର ବିକାଶ ପାଇଁ ବାରମ୍ବାର ଦାବି କରୁଥିଲେ ହେଁ କେହି ଶୁଣି ନ ଥିଲେ । ଉକ୍ତ ଘଟଣା ନେଇ ରାଜନୀତ କରା ନ ଯାଉ । ରାଜନୈତିକ ଦଳର ପ୍ରରୋଚନାରେ କୌଣସି କାର୍ଯ୍ୟ କରିନାହିଁ । ଗାଁ ଓ ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ବାରମ୍ବାର ନିରାଶ ହେବା ପରେ କାଳିମାଡ଼ କରିଥିଲେ । ହେଲେ ଏହି କାଳିମାଡ଼ ୫-ଟି ସଚିବଙ୍କ ଉପରେ ଲକ୍ଷ୍ୟ ରହିଥିବା ବେଳେ ଜିଲ୍ଲାପାଳ ତାଙ୍କ ନିକଟରେ ରହିଥିବାରୁ ପଡ଼ି ଯାଇଥିଲା । ସେଥିଲାଗି ଜିଲ୍ଲାପାଳଙ୍କୁ କ୍ଷମା ମାଗୁଛି । ବିକାଶ ଲାଗି ବିରୋଧ କରିବାର ତରିକା ଭୁଲ୍ ରହିଥିଲା ।
ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜି ଚାଲିଥିବା ବେଳେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କାଳିମାଡ଼ ପ୍ରାୟୋଜିତ କାର୍ଯ୍ୟକ୍ରମ । କାରଣ ଯେଉଁ ବ୍ୟକ୍ତି କାଳିମାଡ଼ କରିଥିଲା, ତା’କୁ ପୋଲିସ ମୁକ୍ତ କରିସାରିଛି । ରାଜ୍ୟବାସୀ ଜାଣିଛନ୍ତି ବିଜେଡି ଓ ବିଜେପି ଭାଇ ଭାଇ । ତେଣୁ ସେମାନେ (ବିଜେପି) କାଳିମାଡ଼ କରିବେ କାହିଁକି ? କେବଳ ସମବେଦନା ହାସଲ କରିବାକୁ ଚେଷ୍ଟା କରାଯାଉଛି । ବିଜେଡି ଓ ବିଜେପି ଅଲଗା ଅଛନ୍ତି ବୋଲି ଦେଖାଇବା ପାଇଁ ହିଁ କାଳିମାଡ଼ ହୋଇଛି ।