ଡେଙ୍ଗୁ ରୋଗୀ ସଂଖ୍ୟା ୨ ହଜାର ପାର୍
ଭୁବନେଶ୍ୱର, ୧୭ା୮(ବୁ୍ୟରୋ): ଦିନକୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଏ ବର୍ଷ ବଢ଼ିଗଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଡେଙ୍ଗୁ ଆକ୍ରାନ୍ତରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୪୪୧ ଥିଲା । ଅଗଷ୍ଟ ୧୬ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୧୧୧ ଜଣ ଡେଙ୍ଗୁ ରୋଗୀ । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୧ ହଜାର ୪୪୧ ।
ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଓ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ଭୟାବହ ସ୍ଥିତି ନାହିଁ । ମାତ୍ର ୫ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ତିନି ଅଙ୍କ ଡେଇଁଛି । ଏବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ିଛି । ଗତବର୍ଷ ଏହି ସମୟ ସୁଦ୍ଧା ୧୭ ହଜାର ୩୬୨ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିବାବେଳେ ଏ ବର୍ଷ ୩୩ ହଜାର ୭୦୦ ଜଣଙ୍କର ଟେଷ୍ଟ କରାଯାଇଛି । ତେଣୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । ତେବେ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ୫୪ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବାବେଳେ ଆଇସିୟୁରେ ଥିବା ୪ ରୋଗୀଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବୁଧବାର କ୍ୟାପିଟାଲ ହସ୍ପିଟାଲରେ ୫୦୯ ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ ପଜିଟିଭ ବାହାରିଥିଲେ ।
ଏହି ସମୟରେ ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନ (ବିଏମ୍ସି) ସହରର ବିଦ୍ୟାଳୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି । ଧୀରେ ଧୀରେ ରାଜ୍ୟ ରାଜଧାନୀର ସମସ୍ତ ବିଦ୍ୟାଳୟରେ ଡେଙ୍ଗୁ ସଚେତନତା ଡ୍ରାଇଭ୍ କରିବା ନେଇ ବିଏମ୍ସି ଲକ୍ଷ୍ୟ ରଖିଛି । ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ । ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମ୍ସି ।
ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଘର ଘର ଅଭିଯାନରେ ଏଯାଏଁ ୪ ହଜାର ୩୦୯ ଘରକୁ ପହଞ୍ଚôପାରିଛି ବିଏମସି ।