ଶୀତ ଅଧିବେଶନରେ ଆସିପାରେ ବିଲ୍
ଓଡ଼ିଶା, ଆସାମ, ରାଜସ୍ଥାନ ବିଧାନ ପରିଷଦ
ଭୁବନେଶ୍ୱର,୧୪ା୮ (ତଥ୍ୟ): ସଂସଦର ଆଗାମୀ ଶୀତ ଅଧିବେଶନ କାଳରେ ଓଡିଶାରେ ବିଧାନ ପରିଷଦ ଗଠନପାଇଁ ବିଲ୍ ଆଗତ ହୋଇପାରେ । ଓଡିଶା ସହ ଆସାମ ଓ ରାଜସ୍ଥାନର ବିଧାନସଭା ମଧ୍ୟ ପୂର୍ବରୁ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଇଛନ୍ତି ।
ଚଳିତବର୍ଷ ଶେଷ ସୁଦ୍ଧା ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ବର୍ଷ ଲୋକସଭା ସହ ଓଡିଶା ବିଧାନସଭା ପାଇଁ ନିର୍ବାଚନ ହେବାକୁ ଅଛି । ତେବେ ଏହା ପୂର୍ବରୁ ନିର୍ବାଚନ ସମ୍ଭାବନାକୁ ବି ଏଡାଇ ଦେଇହେବ ନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ବିଧାନ ପରିଷଦ ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ ହୋଇସାରିଛି । ବିଧାନସଭାର ଏକ ସ୍ୱତନ୍ତ୍ର କମିଟି ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଗସ୍ତକରି ଓଡିଶାରେ ବିଧାନ ପରିଷଦ ଗଠନ ସପକ୍ଷରେ ସୁପାରିଶ୍ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଓଡିଶା ବିଧାନସଭାରେ ପାରିତ ହୋଇସାରିଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ବିଧାନସଭା ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ ବିଧାନସଭାରେ ପାରିତ ହେବାପରେ ତାହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ ଏବଂ କେନ୍ଦ୍ର ସରକାର ଏ ସଂକ୍ରାନ୍ତୀୟ ବିଲ୍ ସଂସଦରେ ଆଣିବାପରେ ତାହା ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି ସମ୍ବିଧାନର ୧୬୯ ଧାରାରେ ବ୍ୟବସ୍ଥା ରହିଛି ।
ସମ୍ବିଧାନର ୧୭୧ ଧାରା ମୁତାବକ ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୦ରୁ କମ୍ ରହିବନାହିଁ କିମ୍ବା ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବନାହିଁ ।
ରାଜ୍ୟସଭା ସଦସ୍ୟଙ୍କ ଭଳି ବିଧାନ ପରିଷଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ୬ବର୍ଷ ରହିବ ଏବଂ ପ୍ରତି ଦୁଇବର୍ଷରେ ଥରେ ଏକ ତୃତୀୟାଂଶ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ ।
ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବାରୁ ରାଜ୍ୟ ବିଧାନ ପରିଷଦରେ ୪୯ଜଣ ପର୍ଯ୍ୟନ୍ତ ସଦସ୍ୟ ରହିପାରିବେ । ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ୍ ୧୬ଜଣ ବିଧାୟକମାନଙ୍କ ପ୍ରତ୍ୟକ୍ଷ ଭୋଟରେ ନିର୍ବାଚିତ ହେବେ । ସେହିପରି ଆଉ ୧୬ଜଣ ସଦସ୍ୟ ମୁ୍ୟନିସପାଲିଟି, ଜିଲ୍ଲା ବୋର୍ଡ ଆଦିଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିବେ । ଏହାଛଡା ଚାରିଜଣ ସଦସ୍ୟ ଶିକ୍ଷକମାନଙ୍କୁ ନେଇ ଗଠିତ ନିର୍ବାଚନମଣ୍ଡଳୀ ଓ ଆଉ ଚାରି ଜଣ ପଞ୍ଜିକୃତ ଗ୍ରାଜୁଏଟ୍ମାନଙ୍କୁ ନେଇ ଗଠିତ ନିର୍ବାଚନମଣ୍ଡଳୀରୁ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇ ଆସିବାର ବ୍ୟବସ୍ଥା ରହିଛି । ଏହାଛଡା ରାଜ୍ୟ ବିଧାନ ପରିଷଦ ପାଇଁ ରାଜ୍ୟପାଳ ଆଉ ୯ଜଣ ସଦସ୍ୟଙ୍କୁ ମନୋନୀତ କରିବେ ।
ତଥାଭିଜ୍ଞ ମହଲ କହୁଛନ୍ତି ଯେ ସଂସଦର ଅନୁମୋଦନ ପରେ ଯଦି ଓଡିଶାରେ ୪୯ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଠନ ହୁଏ ତେବେ ସେଥି ମଧ୍ୟରୁ ୧୬ଜଣ ଦୁଇବର୍ଷ ପାଇଁ, ଆଉ ୧୬ଜଣ ୪ବର୍ଷ ପାଇଁ ଏବଂ ୧୭ଜଣଙ୍କ କାର୍ଯ୍ୟକାଳ ୬ବର୍ଷ ଲାଗି ରହିବ । ରାଜ୍ୟସଭା ଗଠନ କରାଯିବାବେଳେ ଏହିପରି ହୋଇଥିଲା । ବିଧାନ ପରିଷଦ ସଦସ୍ୟମାନେ ବିଧାୟକଙ୍କ ଭଳି ସମାନ ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ । ଏମିତିକି ସେମାନଙ୍କ ଲାଗି ମଧ୍ୟ ପରିଷଦ ପାଣ୍ଠି ରହିବ ।
ବିଧାନ ପରିଷଦର ସଦସ୍ୟମାନେ ବି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଆଦି ପଦବୀରେ ଅଧିଷ୍ଠିତ ହୋଇପାରିବେ । ଦୀର୍ଘବର୍ଷ ଧରି ବିଧାନ ପରିଷଦ ବିଲ୍ କେନ୍ଦ୍ରରେ ଅଟକି ରହିଥିବାବେଳେ ଖୁବ୍ଶୀଘ୍ର ଏହା ଅନୁମୋଦନ ଲାଭ କରିବ ବୋଲି ଚର୍ଚ୍ଚ ହେଉଥିବାରୁ ଆଶାୟୀମାନଙ୍କ ଧାଡି ଲମ୍ବିବାରେ ଲାଗିଛି । ଏଠାରେ ଉଲ୍ଲେଖନୀୟ ଯେ ଏବେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର,କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଭଳି ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି ।