୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ସବୁ ପଞ୍ଚାୟତରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର, ୧୧ା୮ (ବୁ୍ୟରୋ): ରାଜ୍ୟ କ୍ୟାବିନେଟ୍ ଶୁକ୍ରବାର ୧୨ ବିଭାଗର ୧୯ଟି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି, ରାଜ୍ୟର ବ୍ୟାଙ୍କିଙ୍ଗ୍ ସୁବିଧା ନ ଥିବା ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବ । ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ବ୍ୟାଙ୍କଗୁଡ଼ିକୁ ପଞ୍ଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ସିଏସ୍ପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ୪୩୭୩ ବ୍ୟାଙ୍କବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ପଞ୍ଚାୟତରେ ରହୁଥିବା ଲୋକମାନଙ୍କୁ ମାଗଣାରେ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମିଳିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନେ ଦ୍ୱାରଦେଶରେ ବ୍ୟାଙ୍କିଙ୍ଗ ସେବା ଓ ଠିକ୍ ସମୟରେ ସରକାରଙ୍କ ଡିବିଟି ଯୋଜନାର ସୁବିଧା ପାଇପାରିବେ । ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ଏବେ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ନାହିଁ ।
ଓଡ଼ିଶା ସରକାରୀ ଜମି ବନେ୍ଦାବସ୍ତ ରୁଲ୍ସ-୧୯୮୩ରେ ଥିବା ବ୍ୟବସ୍ଥାର ସରଳୀକରଣ ପାଇଁ ଏଥିରେ ଆବଶ୍ୟକ ସଂଶୋଧନ ଓ ନୂଆ ବ୍ୟବସ୍ଥା ଆଣିବା ପାଇଁ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି । ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଏଣିକି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସ୍ୱତ୍ୱରେ ପରିବର୍ତ୍ତନ କରିବା ପାଇଁ ତଥା ସେମାନଙ୍କୁ ସିଧାସଳଖ ଭାବେ ସ୍ଥିତିବାନ ସ୍ୱତ୍ୱରେ ସରକାରୀ ଜମି ଯୋଗାଇ ଦେବାକୁ ଏହି ରୁଲ୍ସରେ ନୂଆ ବ୍ୟବସ୍ଥା ଆଣିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି । ଏହା ସହିତ ଖାସମହାଲ, ନଜୁଲ, ଗ୍ରାମକଣ୍ଠ, ପରମବୋକ ଓ ଆବାଦୀ ଶ୍ରେଣୀର ଜମିକୁ ଆଇନସମ୍ମତ ଭାବେ ଦଖଲରେ ରଖିଥିବା ବ୍ୟକ୍ତିବିଶେଷଙ୍କ ନାଁରେ ଚିରସ୍ଥାୟୀ ବନେ୍ଦାବସ୍ତ କରାଯିବା ସଂକ୍ରାନ୍ତ ସଂଶୋଧନକୁ ମଧ୍ୟ ମଞ୍ଜୁରି ମିଳିଛି । ଓଡ଼ିଶା ସରକାରୀ ଜମି ବନେ୍ଦାବସ୍ତ ରୁଲ୍ସ-୨୦୨୩ ସରକାରୀ ପ୍ରକାଶିତ ହେବା ପରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି(ପିପିପି) -୨୦୨୩କୁ ମଞ୍ଜୁରି ମିଳିଛି । ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ । ସେହିପରି ୧୦ରୁ ୫୦୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ଅନୁମୋଦିତ ହେବ । ପିପିପି ନିଦେ୍ର୍ଦଶାଳୟକୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି । ପ୍ରତି ଜିଲ୍ଲାପାଳଙ୍କ ଅଧୀନରେ ଜିଲ୍ଲାସ୍ତରୀୟ ପିପିପି କମିଟି ଗଠନ କରାଯିବ । ପିପିପି-୨୦୨୩ ନୀତିରେ ୨୧ଟି କ୍ଷେତ୍ରରେ ବେସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି । ଏଥିରେ ବର୍ଜ୍ୟବସ୍ତୁ ପରି·ଳନା, ଦକ୍ଷ ଶକ୍ତି ପରିଚାଳନା, ଅଣପାରମ୍ପରିକ ଶକ୍ତି ଉତ୍ସ, ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦିଆଯାଇଛି ।
ପୃଷ୍ଟଶସ୍ୟର ପ୍ରସାର ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିଶନର କାର୍ଯ୍ୟକ୍ରମକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦ ଜିଲ୍ଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରାଯାଇଛି । ଏହାର ସୁପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ୨୬୮୭.୪୫ କୋଟି ଟଙ୍କାର ବଜେଟକୁ ଅନୁମୋଦନ କରିଛନ୍ତି । ୨୦୧୭-୧୮ ମସିହାରେ ଏହି ମିଶନ ୭ଟି ଜିଲ୍ଲାର ୩୦ ବ୍ଲକ୍ରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *