ଇସି ଚୟନ ପ୍ରକ୍ରିୟାରୁ  ବାଦ୍ ପଡ଼ିବେ ସିଜେଆଇ

ବଦଳିବ ଆଉ ଏକ ସୁପ୍ରିମ୍ ଫୈସଲା
ନୂଆଦିଲ୍ଲୀ, ୧ଠା୮: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ଉଦେ୍ଦଶ୍ୟରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତ ଏବଂ କାର୍ଯ୍ୟକାଳ ଅବଧି) ବିଲ୍, ୨୦୨୩ ଗୁରୁବାର ରାଜ୍ୟସଭାରେ ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ଦ୍ୱାରା ଆଗତ କରାଯାଇଛି । ବିଲ୍ରେ କୁହାଯାଇଛି, ଏକ ତିନିଜଣିଆ ପ୍ୟାନେଲର ସୁପାରିସ୍ କ୍ରମେ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିବେ । ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟ୍ ମନ୍ତ୍ରୀ ରହିବେ ।
ଏହି ବିଲ୍ ଆଇନରେ ପରିଣତ ହେଲେ ନ୍ୟାୟପାଳିକା-ସରକାର ବିବାଦରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରେ । ବିଲ୍କୁ କଂଗ୍ରେସ, ଆପ୍ ସମେତ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଛନ୍ତି । ସେମାନେ କହିଛନ୍ତି, ସରକାର ସୁପ୍ରିମ୍କୋର୍ଟର ୫ ଜଣିଆ ସମ୍ବିଧାନ ପୀଠଙ୍କ ଆଦେଶ ବିରୋଧରେ ବିଲ୍ ଆଣି ତାହାକୁ ଦୁର୍ବଳ କରି ଦେଉଛନ୍ତି । ସୁପ୍ରିମ୍କୋର୍ଟ ମାର୍ଚ୍ଚରେ ଏକ ଆଦେଶରେ କହିଥିଲେ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ସିଇସି ନିଯୁକ୍ତି କରିବେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ଲେଖିଛନ୍ତି, ଏହି ବିଲ୍ ଜରିଆରେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଆଉ ଏକ ନିଷ୍ପତ୍ତିକୁ ଓଲଟାଇ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ସୁପ୍ରିମ୍କୋର୍ଟଙ୍କୁ ମାନୁନାହାନ୍ତି । ସୁପ୍ରିମ୍କୋର୍ଟଙ୍କ ଯେଉଁ ଆଦେଶ ତାଙ୍କ ପସନ୍ଦକୁ ଆସୁନାହିଁ ନିଜ ପସନ୍ଦ ଅନୁସାରେ ସଂସଦରେ ଆଇନ ପ୍ରଣୟନ କରି ତାହାକୁ ଓଲଟାଇ ଦେଉଛନ୍ତି । ଏହା ଅତ୍ୟନ୍ତ ବିପଦ୍ଜ୍ଜନକ ସ୍ଥିତି । କଂଗ୍ରେସ ପ୍ରତିକ୍ରିୟା ରଖି କହିଛି, ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଡେଇ କରି ରଖିବାକୁ ସରକାର ପ୍ରୟାସ କରୁଛନ୍ତି । ଏହା ଏକ ଅସାମ୍ବିଧାନିକ, ମନମୁଖୀ ଓ ଅନ୍ୟାୟ ବିଲ୍ ।
ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନପୀଠ ସର୍ବ ସମ୍ମତିକ୍ରମେ ଦେଇ ଫୈସଲାରେ ଉଲ୍ଲେଖ ଥିଲା, ଯେ ପର୍ଯ୍ୟନ୍ତ ସଂସଦରେ ଆଇନ ହୋଇନାହିଁ, ସେ ପର୍ଯ୍ୟନ୍ତ ଏ ବ୍ୟବସ୍ଥା ବଳବତ୍ତର ରହିବ । ସୁପ୍ରିମ୍କୋର୍ଟଙ୍କ ଫଇସଲା ଆସିବା ପୂର୍ବରୁ କେନ୍ଦ୍ର ସରକାର ଇସି ନିଯୁକ୍ତି କରିଆସୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *