ୱେଷ୍ଟଇଣ୍ଡିଜ୍କୁ ୩୫୨ ଟାର୍ଗେଟ୍
ତୃତୀୟ ଦିନିକିଆ
ଟରୌବା (ପୋର୍ଟ ଅଫ୍ ସ୍ପେନ୍), ୧ା୮ (ଏଜେନ୍ସି): ଦୁଇ ଓପନର୍ଙ୍କ ସହ ଚାରି ବ୍ୟାଟର୍ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ଟିମ୍ ଇଣ୍ଡିଆ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୩୫୨ ରନ୍ର ଆହ୍ୱାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଦେଇଛି ।
ୱେଷ୍ଟଇଣ୍ଡିଜ୍ର ଅଧିନାୟକ ଶାଇ ହୋପ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଅନ୍ତିମ ଦିନିକିଆରୁ ବି ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ପୁନର୍ବାର ଟିମ୍ର ନେତୃତ୍ୱ ନେଉଛନ୍ତି । ଟିମ୍ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଉମରାନ ମଲିକଙ୍କ ସ୍ଥାନରେ ଜୟଦେବ ଉନାଦକଟ ଓ ଅକ୍ଷର ପଟେଲ୍ଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ଼ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିଲେ ।
ଈଶାନ କିଶନ ଓ ଶୁଭମନ ଗିଲ୍ ଦମ୍ଦାର ଢଙ୍ଗରେ ଭାରତୀୟ ଇନିଂସ୍ ଆରମ୍ଭ କରିଥିଲେ । ପ୍ରଥମ ପାୱାରପ୍ଲେରେ ସ୍କୋର୍ ହୋଇଥିଲା ୭୩ ରନ୍ । ଏହାପରେ ବି ଓପନିଂ ଯୋଡ଼ି ଲୟ ବଜାୟ ରଖି ୧୪ତମ ଓଭର୍ରେ ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ଇତ୍ୟବସରେ ଈଶାନ ୪୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ତାଙ୍କର କ୍ରମାଗତ ତୃତୀୟ ଓ ମୋଟ୍ ଷଷ୍ଠ ଅର୍ଦ୍ଧଶତକ ।
ୟାନିକ୍ କାରିଆ ଏହି ଯୋଡ଼ି ଭାଙ୍ଗିଥିଲେ । ଉଭୟଙ୍କ ମଧ୍ୟରେ ୧୪୩ (୧୧୮ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଈଶାନ ବ୍ୟକ୍ତିଗତ ୭୭ (୬୪ ବଲ୍ରୁ ୮ ଚୌକା ଓ ୩ ଛକା ସହାୟତାରେ) ରନ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ଗିଲ୍ ମଧ୍ୟ ଷଷ୍ଠ ଅର୍ଦ୍ଧଶତକ ଲଗାଇଥିଲେ । ସେ ୫୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ନୂଆ ବ୍ୟାଟର୍ ଋତୁରାଜ ଗାଏକୱାଡ଼ ମାତ୍ର ୮ ରନ୍ କରି ଅଲ୍ଜାରୀ ଜୋସେଫ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଶୁଭମନ ପରବର୍ତ୍ତୀ ବ୍ୟାଟର୍ ସଞ୍ଜୁ ସାମ୍ସନ୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ପ୍ରୟାସରେ ୨୯ତମ ଓଭର୍ରେ ଇନିଂସ୍ ୨୦୦ ଅତିକ୍ରମ କରିଥିଲା ।
ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୩ ବଲ୍ରୁ ୬୯ ରନ୍ ଯୋଗ ହୋଇଥିଲା । ସଞ୍ଜୁ ତୃତୀୟ ବ୍ୟାଟର୍ ଭାବେ ଅର୍ଦ୍ଧଶତକ (୩୯ ବଲ୍ରୁ) ଲଗାଇଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିଅର୍ର ତୃତୀୟ ଅର୍ଦ୍ଧଶତକ ଥିଲା । ସେ ୪୧ ବଲ୍ରୁ ୫୧ ରନ୍ କରି ରୋମାରିଓ ଶେଫର୍ଡଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୨୨୩ ରନ୍ରେ ଭାରତର ତୃତୀୟ ୱିକେଟ୍ ପଡ଼ିଥିଲା ।
ଶତକ ଆଡ଼କୁ ଅଗ୍ରସର ହେଉଥିବା ଶୁଭମନଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଗୁଦାକେଶ ମୋତି । ଏହି ଓପନିଂ ବ୍ୟାଟର୍ ୯୨ ବଲ୍ରୁ ୧୧ ଚୌକା ସହାୟତାରେ ୮୫ ରନ୍ କରିଥିଲେ । ଏହାପରେ ଅଧିନାୟକ ହାର୍ଦ୍ଦିକଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ଉଭୟ ଇନିଂସ୍କୁ ୩୦୦ ପାରି କରାଇବା ସହ ୬୫ ରନ୍ର ଭାଗୀଦାରୀ କରିଥିଲେ । ଇତ୍ୟବସରେ ପାଣ୍ଡ୍ୟା ୪୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୫ ୱିକେଟ୍ ହରାଇ ୩୫୧ ରନ୍ ସଂଗ୍ରହ କରିଥିଲା । ହାର୍ଦ୍ଦିକ ୫୨ ବଲ୍ରୁ ୭୦ (୪ ଚୌକା ଓ ୫ ଛକା ସହାୟତାରେ) ଓ ରବୀନ୍ଦ୍ର ଜାଡ଼େଜା ୮ ରନ୍ କରି ଅପରାଜିତ ଥିଲେ ।