ମଣିପୁର ହିଂସାରେ ଚୀନ୍ର ହାତ

ଉପଦ୍ରବକାରୀଙ୍କୁ ଅସ୍ତ୍ର ଯୋଗାଉଥିବା ନାଗା ନେତା ଗିରଫ
ନୂଆଦିଲ୍ଲୀ/ଇମ୍ଫାଲ, ୨୯ା୭: ମଣିପୁରରେ କୁକି ଓ ମୈତେଇଙ୍କ ମଧ୍ୟରେ ଜାତିଗତ ହିଂସା ଚରମସ୍ତରକୁ ଯିବା ପଛରେ ଚୀନ୍ର ହାତ ରହିଛି ବୋଲି କହିଛନ୍ତି ପୂର୍ବତନ ସେନାଧ୍ୟକ୍ଷ ଏମ୍ଏମ୍ ନରୱଣେ । ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟରରେ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେଇ ଜେନେରାଲ୍ ନରୱଣେ କହିଛନ୍ତି, ଉପଦ୍ରବକାରୀମାନେ ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର କରୁଛନ୍ତି । କୌଣସି ବିଦେଶୀ ଶକ୍ତିର ସହାୟତା ବିନା ସେମାନେ ଏଭଳି ମାରଣାସ୍ତ୍ର ପାଇବା ସମ୍ଭବ ନୁହେଁ । ମୋର ପୂର୍ଣ୍ଣ ବିଶ୍ୱାସ ଚୀନ୍ ବିଭିନ୍ନ ଏଜେନ୍ସି ମାଧ୍ୟମରେ ବିଦ୍ରୋହୀଙ୍କୁ ଅସ୍ତ୍ର ସହାୟତା କରୁଛି । ଚୀନ୍ ଅନେକ ଦଶନ୍ଧି ହେଲା ପୂର୍ବୋତ୍ତରର ଉଗ୍ରବାଦୀ ଗୋଷ୍ଠୀମାନଙ୍କୁ ଏଭଳି ସହାୟତା କରିଆସୁଛି । ଭାରତର ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରିବା ଚୀନ୍ର ଏକମାତ୍ର ଲକ୍ଷ୍ୟ ।
ଇମ୍ଫାଲରୁ ମିଳିଥିବା ଖବର ଅନୁଯାୟୀ, ନାଗାଲାଣ୍ଡର ଆଇଏମ୍ ନେତା ଶୀମରାହ ରାଜ୍ୟର ଜଣେ ପୁଲିସ୍ ଇନ୍ସପେକ୍ଟରଙ୍କ ସହାୟତାରେ ମଣିପୁରର ଉପଦ୍ରବକାରୀ ଗୋଷ୍ଠୀମାନଙ୍କୁ ମାରଣାସ୍ତ୍ର ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ରାକେଟ୍ରେ ଆଉ କିଛି ଲୋକ ମଧ୍ୟ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ, ନାଗାଲାଣ୍ଡର ଏହି ପୁଲିସ୍ ଇନ୍ସପେକ୍ଟର ଗୁରୁବାର ରାଜ୍ୟ ପୁଲିସ୍ ଅସ୍ତ୍ରାଗାରରୁ ଗୋଳାବାରୁଦ ଚୋରି କରି ମଣିପୁର ଉଗ୍ରବାଦୀମାନଙ୍କୁ ବିକିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫୁ୍ୟରିଓ କହିଛନ୍ତି । ଶନିବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ମଣିପୁରରେ ପହଞ୍ଚôଛନ୍ତି । ସେମାନେ ଦୁଇଦଳରେ ବିଭକ୍ତ ହୋଇ ପୀଡିତମାନଙ୍କୁ ଭେଟିଥିବା ଖବର ମିଳିଛି । ଗୋଟିଏ ଦଳ ଚୁରାଚାନ୍ଦପୁର ଯାଇ ରିଲିଫ୍ କ୍ୟାମ୍ପରେ ଥିବା ଦଙ୍ଗା ପୀଡିତଙ୍କୁ ଭେଟିଛନ୍ତି । ସାଂସଦ ଟିମ୍ର ଅନତମ ସଦସ୍ୟ ତଥା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମଣିପୁର ସ୍ଥିତି ଅତ୍ୟନ୍ତ ଗୁରୁତର । ଆମେ ରାଜନୈତିକ ପ୍ରସଙ୍ଗ ଉଠାଇବା ପାଇଁ ଏଠାକୁ ଆସିନାହୁଁ । ମଣିପୁର ଲୋକଙ୍କ ଦୁର୍ଦ୍ଦଷା ଓ ପ୍ରକୃତ ସ୍ଥିତି ଜାଣିବା ଆମ ଗସ୍ତର ଉଦେ୍ଦଶ୍ୟ । ସରକାର ତାଙ୍କ ଦାୟିତ୍ୱ ଠିକ୍ରୂପେ ନିର୍ବାହ କରିନାହାନ୍ତି ।
ଶନିବାର ମଣିପୁର ରାଜଧାନୀରେ ମୈତେଇ ଜାତିର ମହିଳାମାନେ ବିରାଟ ଶୋଭାଯାତ୍ରା କରିଥିଲେ । ସେମାନେ ମୈତେଇମାନଙ୍କ ପାଇଁ କୌଣସି ନୂଆ ନିୟମ ପ୍ରଣୟନ କରା ନ ଯାଉ ବୋଲି ଦାବି କରିଛନ୍ତି । ରାଜ୍ୟପାଳ ଅନୁସୁଇୟା ୟୁକେ ରିଲିଫ୍ କ୍ୟାମ୍ପ୍ ପରିଦର୍ଶନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *