ରାଜ୍ୟରେ ୨ଠ, ଦେଶରେ ୩୬୮୨ ବାଘ
ଭୁବନେଶ୍ୱର, ୨୯ା୭(ବୁ୍ୟରୋ): ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିଲେ, ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି । ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ ବାଘ ସଂଖ୍ୟା କମିଛି । ଏହି ଗଣନା ୨୦୨୧-୨୨ରେ କରାଯାଇଥିଲା । ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ । ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ବାଘ ପାଇଁ ସୁରକ୍ଷିତ ନୁହେଁ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୦୬ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିଲା, ୨୦୧୦ରେ ୩୨, ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ।ରାଜ୍ୟରେ ଅକ୍ଟୋବରରୁ ଦୁଇଟି ପର୍ଯ୍ୟାୟରେ ବାଘ ଗଣନା ଆରମ୍ଭ ହେବ । ଟ୍ରାକ୍ଟ ଆନାଲିସିସରେ ବାଘର ପାଦ ଚିହ୍ନ, ସ୍କ୍ରାଚ୍ ମାର୍କ ଆଦି ଆଧାରରେ ଏବଂ ସିସିଟିଭି କ୍ୟାମେରା ଟ୍ରାପ ମଧ୍ୟମରେ ବାଘ ଗଣନା କରାଯିବା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ଦେଢ ମାସ ଧରି ବାଘ ଗଣନା କରାଯିବ । ସେହିପରି ଆସନ୍ତା ବର୍ଷ ମେ’ରୁ ରାଜ୍ୟରେ ଆରମ୍ଭ ହେବ ହାତୀ ଗଣନା ।ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲାବେଳେ ୨୦୧୦ରେ ଏହି ସଂଖ୍ୟା ୨କୁ ଖସିଥିଲା ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା । ରାଜ୍ୟ ସରକାରଙ୍କ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲାବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା । ନନ୍ଦନକାନନରେ ବିଭିନ୍ନ ପ୍ରଜାତିର ୨୭ଟି ବାଘ ଅଛନ୍ତି । ଗତ ୧୨ ବର୍ଷ ଭିତରେ ପୂର୍ବ ସଂଖ୍ୟା ତୁଳନାରେ ୭୫ଟି ବାଘ କମିଥିବା ଜଣାପଡ଼ିଛି । ରାଜ୍ୟ ବନ ବିଭାଗ ରିପୋର୍ଟ ମୁତାବକ, ୨୦୦୬ ମସିହାରେ କରାଯାଇଥିବା ବାଘ ଗଣନାରେ ଶିମିଳିପାଳରେ ବାଘ ସଂଖ୍ୟା ୧୦୧ ଥିବାବେଳେ ୨୦୧୯ ମସିହା ଗଣନାରେ ବାଘଙ୍କ ସଂଖ୍ୟା ୨୮କୁ ଖସି ଆସିଥିଲା । ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ବାଘ ସଂଖ୍ୟା ବାଇବା ଓ ସଂରକ୍ଷଣ ପାଇଁ ଏନଟିସିଏ ୧୨ ରୁ ୧୩ କୋଟି ଟଙ୍କା କେବଳ ବାଘଙ୍କ ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଥିବାବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ବାବଦରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଅଭୟାରଣ୍ୟରେ ବେଆଇନ ବାଘ ଶିକାର ବାଘ ସଂଖ୍ୟା ହ୍ରାସର କାରଣ ହୋଇଛି । କିଛିଦିନ ତଳେ ପାଟ୍ରୋଲିଂବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତୁ୍ୟ ହେବା ପରେ ଏହି ଅଭୟାରଣ୍ୟ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ । ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲାବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଦୃତ ଗତିରେ କମୁଛି ଏମାନଙ୍କ ବଂଶ ।
୩ ବର୍ଷରେ ରାଜ୍ୟରେ ବନ ବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ କଲରାପତରିଆ ବାଘ ଶିକାର ପଛରେ କାମ କରୁଛି ଆନ୍ତର୍ଜାତିକ ପେସାଦାର ରାକେଟ୍ । ଯେତିକି କଲରାପତରିଆ ବାଘ ଛାଲ ଜବତ ହେଉଛି, ତାହା ତୁଳନାରେ ଶିକାର ହେଉଥିବା କଲରାପତରିଆଙ୍କ ସଂଖ୍ୟା ଢେର୍ ଅଧିକ । ସରକାର ଏବେଠୁ ଏହା ଉପରେ ନଜର ନ ରଖିଲେ, ଆଗକୁ ଏ ବାଘଙ୍କ ସଂଖ୍ୟା ବି ଲୋପ ପାଇଯିବ ।