ଶ୍ରେଷ୍ଠ ରାଜ୍ୟ: ଓଡ଼ିଶାକୁ ‘ଭୂମି ସମ୍ମାନ’
ଭୁବନେଶ୍ୱର, ୧୮ା୭(ବୁ୍ୟରୋ): ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି) ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍ଆର୍ଏମ୍ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍ ପୁରସ୍କାର ମିଳିଛି । ଏଥିରେ ରହିଛି ଓଡିଶାର ୧୯ ଜିଲ୍ଲା ।
ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ
ସମ୍ବଲପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ “ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫ଟି କାର୍ଯ୍ୟାନ୍ୱୟନ ତଥା “ସରକାର’ ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ।
ରାଜସ୍ୱ କାର୍ଯ୍ୟାଳୟମାନଙ୍କରେ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥାସମ୍ଭବ କମ କରିବା ସହ ମଧ୍ୟସ୍ଥିମାନଙ୍କ ଭୂମିକାକୁ ନ୍ୟୂନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭାଗ ଦ୍ୱାରା ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍ଲାଇନ୍ କରାଯିବା ଦ୍ୱାରା ଲୋକମାନେ ଅନଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି । ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଉଦ୍ଧ୍ୱର୍ ମାମଲାର ଫଇସଲା ହୋଇଛି ।