ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର
ଜମିଜମା ବିବାଦର କରୁଣ ପରିଣତି
ପୋଲସରା, ୧୨ା୭(ଆପ୍ର): ଜମିଜମାକୁ କେନ୍ଦ୍ରକରି ପୋଲସରା ବ୍ଲକ୍ ଛକରେ ହୋଇଛି ଗୁଳିମାଡ । ଗୁଳିକାଣ୍ଡରେ ବାପା ମୃତୁ୍ୟବରଣ କରିଥିବା ବେଳେ ଝିଅ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଗୁଳିମାଡ କରିଥିବା ଯୁବକଙ୍କୁ ଅନ୍ୟ ଥାନା ସହଯୋଗରେ ପୋଲସରା ପୁଲିସ୍ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେପଟେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇଛି ପୋଲସରା ପୁଲିସ୍ ।
ମିଳିଥିବା ସୂଚନା ପ୍ରକାରେ, ଜମିଜମାକୁ କେନ୍ଦ୍ରକରି ଦୀର୍ଘଦିନଧରି ଲାଗି ରହିଥିବା ବାଦ ବିବାଦ କାରଣରୁ ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଯିଏକି ବର୍ତ୍ତମାନ ବ୍ରହ୍ମପୁର ନିକଟରେ ସିକୁ୍ୟରିଟ ଗାର୍ଡ ରୂପେ କାର୍ଯ୍ୟରତ ପ୍ରଶାନ୍ତ ବେହେରା ନିଜର ଶଳା ସନ୍ତୋଷ ବେହେରାଙ୍କ ଶଶୁର ବିଜୟ କୁମାର ବେହେରାଙ୍କ ପୋଲସରା ବ୍ଲକ୍ ଛକ ନିକଟସ୍ଥ ଘରକୁ ଆସିଥିଲେ । ସେଠାରେ ଉଚବାଚ ହେବାପରେ ପ୍ରଶାନ୍ତ ଉତ୍କ୍ଷିପ୍ତ ହୋଇ ନିଜ ପାଖରେ ଥିବା ସର୍ଭିସ ରିଭଲବରରୁ ନିଜର ଶଳା ସନ୍ତୋଷଙ୍କ ଶଶୁର ବିଜୟ ବେହେରା (୬୨)ଙ୍କୁ ଗୁଳି ମାରିବା ସହ ତାଙ୍କ ଝିଅ ତଥା ସନ୍ତୋଷଙ୍କ ସ୍ତ୍ରୀ ଗାୟତ୍ରୀ ବେହେରାଙ୍କୁ ମଧ୍ୟ ଗୁଳି କରିଥିଲେ । ତେବେ ଘଟଣାସ୍ଥଳରେ ବିଜୟଙ୍କ ମୃତୁ୍ୟ ହୋଇଥିବା ବେଳେ ଗାୟତ୍ରୀଙ୍କ ଡାହଣ ହାତରେ ୨ଟି ଗୁଳି ବାଜିଥିଲା ।
ଗୁଳିକାଣ୍ଡ ଘଟିବାପରେ ପ୍ରଶାନ୍ତ ସେଠାରୁ ଫେରାର ହେବାପାଇଁ ଯୋଜନାକରି ନିଜ ମୋଟର ସାଇକେଲ୍ରେ ଯାଉଥିବା ବେଳେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ତାଙ୍କ ଟିମ୍ ତାଙ୍କୁ ପିଛାକରି ହିଞ୍ଜିଳି ଥାନା ପୁଲିସ୍ ସାହାଯ୍ୟରେ ବନ୍ଧୁକ ସହ ପ୍ରଶାନ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଘଟଣା କାହିଁକି ଘଟିଲା, ଦୁଇ ପରିବାର ମଧ୍ୟରେ କ’ଣ ଜମିଜମାକୁ ନେଇ ବାଦ ବିବାଦ ଲାଗି ରହିଥିଲା ତାହା ସବିଶେଷ ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ୍ କହିଛି । ସେପଟେ ଗୁଳିକାଣ୍ଡ ଘଟଣାକୁ ନେଇ ସାରା ପୋଲସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।