କୁଅରୀ ଝିଅର ଦରପୋଡ଼ା ମାଂସ ଖାଇଲେ
ବାରିପଦା, ୧୨ା୭(ଆପ୍ର): ଜୁଇରୁ ମଣିଷ ମାଂସକୁ ଆଉ ଜଣେ ମଣିଷ ଖାଇଛି । ଶବର ଦରପୋଡ଼ା ମାଂସ ଖାଇବାକୁ ନେଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ବନ୍ଧସାହି ଗ୍ରାମରେ । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଥିଲା । ପୁଲିସ କେସ ନଂ ୪୦/୨୩ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ଶବ ସକ୍ରାର ପାଇଁ ଗାଁ ମଶାଣୀକୁ ନେଇଥିଲେ । ଶବ ଦାହ ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବର ପୋଡ଼ା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ଏ ନେଇ ଉତ୍ୟକ୍ତ ଲୋକେ ମାଡ଼ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଉଦ୍ଧାର କରିଥିଲେ । ଫଳରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣକୁ ବଡ଼ସାହି ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ଅଟକ ଦୁଇ ଅଭିଯୁକ୍ତ ହେଲେ ବଡସାହି ଥାନା ଅଧୀନ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂ(୫୮) ଓ ନରେନ୍ଦ୍ର ସିଂ(୨୫) ।
ସୁନ୍ଦର ମୋହନ ଗାଁରେ ଗୁଣି ଗାରେଡି କାମ କରୁଥିବା ବେଳେ ଝଡାଫୁଙ୍କା କରନ୍ତି । ତେବେ ଗୁଣି ଗାରେଡି ପାଇଁ ନୁହେଁ ମହୁଲି ମଦ ପିଇ ନିଶାରେ ଦରପୋଡ଼ା ମାଂସ ଖାଇଦେଇଥିବା ସେ ସ୍ୱୀକାର କରିଛି । ତେବେ ପୁଲିସ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନିଶାଶକ୍ତ ଅବସ୍ଥାରେ ଉକ୍ତ ଘଟଣା ଭିଆଇଛନ୍ତି ନା ଏନେଇ ଅନ୍ୟ କୋଣସି କାରଣ ରହିଛି । ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସୁନ୍ଦର ମୋହନ ସିଂ ପୂର୍ବରୁ ଗାଁରେ ଗୁଣି ଗାରେଡ଼ି କାର୍ଯ୍ୟ କରୁଥିବା ବେଳେ ଉକ୍ତ ଘଟଣା ମଧ୍ୟ ଗୁଣି ଗାରେଡିକୁ ନେଇ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।