ଅଧରପଣା ନୀତି ସମ୍ପନ୍ନ

୩ ରଥରେ ଭଙ୍ଗାଗଲା ୯ ଅଧର ହାଣ୍ଡି
ପୁରୀ, ୩ଠା୬(ବୁ୍ୟରୋ): ତିନି ରଥ ଉପରେ ଶନିବାର ସମ୍ପନ୍ନ ହୋଇଛି ଅଧରପଣା ନୀତି । ରଥାରୂଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି । ଅନୁକୂଳ ପାଗଯୋଗୁଁ ପୂର୍ବବର୍ଷଗୁଡିକ ଅପେକ୍ଷା ବହୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦର୍ଶନ କରିଛନ୍ତି । ଶନିବାର ଶ୍ରୀଜିଉମାନେ ନୀଳାଦ୍ରି ବିଜେ କରିବେ । ଏଥିପାଇଁ ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପହଣ୍ଡି ।
ତିନି ରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପ୍ରସ୍ତୁତି । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ । ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର ଓ ଜାଇଫଳ ରଥ ଉପରେ ରଖାଯାଇଥିଲା । ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନିଟି ଲେଖାଏଁ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା । ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା । ଏହାପରେ ମହାସୁଆରମାନେ ପଣା ପାଇଁ ଆସିଥିବା ସାମଗ୍ରୀ ମିଶାଇ ପଣା ପ୍ରସ୍ତୁତ କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡି ଭଙ୍ଗା ଯାଇଥିଲା । ହାଣ୍ଡି ଭାଙ୍ଗିବା ପରେ ପଣା ରଥ ତଳକୁ ବୋହିଯାଇଥିଲା । ଉକ୍ତ ପଣାକୁ ଦେବାଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ରାତି ୮ଟାରେ ଅଧରପଣା ନୀତି ଶେଷ ହେବାକୁ ଥିବା ବେଳେ ଏହା ୧ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ସରିଥିଲା । ପ୍ରଥମେ ଦର୍ପଦଳନ ରଥରେ ୮ଟା ୫ଠ, ତାଳଧ୍ୱଜ ରଥରେ ୯ଟା୧୦ ଏବଂ ଶେଷରେ ନନ୍ଦିଘୋଷ ରଥରେ୯ଟା୧୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା । ଏହିନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ ଓଡିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *