ଦୋହରା ଆଇନରେ ଦେଶ ଚଳିବନି

ଏକକ ନାଗରିକ ସଂହିତା ନେଇ ମୁହଁ ଖୋଲିଲେ ମୋଦି
ଭୋପାଳ,୨୭ା୬: ତିନି ତଲାକ ସହ ଇସ୍ଲାମ ଧର୍ମର କୌଣସି ସମ୍ପର୍କ ନାହିଁ । ତିନି ତଲାକ ସପକ୍ଷରେ ଓକିଲାତି କରୁଥିବା ଦଳମାନେ କେବଳ ଭୋଟ୍ ବ୍ୟାଙ୍କ୍କୁ ଲକ୍ଷ୍ୟ ରଖିଛନ୍ତି । ସେମାନେ ସେଥିପାଇଁ ଦେଶରେ ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରାଯିବା ପ୍ରସ୍ତାବ ବିରୋଧରେ ପ୍ରଚାର କରୁଛନ୍ତି । ଗୋଟିଏ ଘରେ ଦୁଇ ପ୍ରକାର ଆଇନ ଚଳିପାରିବ ନାହିଁ । ୟୁସିସି ସମ୍ବନ୍ଧୀୟ ବିଜେପି ଦୂର କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଭୋପାଳ ଗସ୍ତରେ ଆସି ‘ମୋ ବୁଥ୍, ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବା ମଧ୍ୟରେ ଏହି କଥା କହିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନାରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ଓ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସିଥିଲେ । ସେ କହିଥିଲେ, ଯେଉଁମାନେ ତିନି ତଲାକ ସପକ୍ଷରେ କହୁଛନ୍ତି, ସେମାନେ ମୁସ୍ଲିମ୍ ମହିଳାମାନଙ୍କ ପ୍ରତି ବହୁତ ବଡ ଅନ୍ୟାୟ କରୁଛନ୍ତି । ତିନି ତଲାକ ଯୋଗୁଁ ମୁସଲିମ୍ ଝିଅ ୮/୧୦ ବର୍ଷ ପରେ ବାପଘରକୁ ଫେରିଆସୁଛି । ଏହାଦ୍ୱାରା ବାପାର ଚିନ୍ତା ବଢୁଛି । ମୁସଲିମ୍ବହୁଳ ଦେଶଗୁଡିକରେ ତିନି ତଲାକ ବ୍ୟବସ୍ଥା ନାହିଁ । ମିଶରରେ ୯୦ ପ୍ରତିଶତରୁ ଅଧିକ ସୁନ୍ନୀ ମୁସଲିମ୍ ଅଛନ୍ତି । ୮୦-୯୦ ବର୍ଷ ପୂର୍ବରୁ ସେ ଦେଶରୁ ତିନି ତଲାକ ପ୍ରଥା ଉଠିଯାଇଛି । ପାକିସ୍ତାନ, ଇଣ୍ଡୋନେସିଆ, କତର, ଜୋଡାନ, ସିରିଆ ଓ ବାଂଲାଦେଶରେ ଏହି ପ୍ରଥା ନାହିଁ ।
ପ୍ରଧାନମନ୍ତ୍ରୀ କହିଲେ, ତିନି ତଲାକ ଯୋଗୁଁ ପସମାନ୍ଦା ମୁସଲିମ୍ ଭାଇଭଉଣୀ ଶୋଷଣର ଶିକାର ହେଉଛନ୍ତି । ସେମାନଙ୍କ ଦାବି ଶୁଣିବାକୁ କେହି ପ୍ରସ୍ତୁତ ନୁହନ୍ତି । ଏହା ଉପରେ ଦେଶରେ କେବେ ବି ଚର୍ଚ୍ଚା ହୋଇନାହିଁ । ଏମାନଙ୍କ ସହ ଭେଦଭାବ ଜାରି ରହିଛି । ସମ୍ବିଧାନରେ ମଧ୍ୟ ନାଗରିକଙ୍କୁ ସମାନ ଅଧିକାର ଦିଆଯିବା କଥା କୁହାଯାଇଛି । ତେଣୁ ୟୁସିସି ଲାଗୁ ପାଇଁ ସୁପ୍ରିମ୍କୋର୍ଟ ଜୋର ଦେଇ ଆସୁଛନ୍ତି । ବିରୋଧୀଙ୍କ ପାଟନା ସମାବେଶ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଲେ, ତାହା ଥିଲା ଏକ ଫଟୋ ସେସନ୍ । ଆଜିକାଲି ଗ୍ୟାରେଣ୍ଟି କଥା ଖୁବ୍ ଶୁଣିବାକୁ ମିଳୁଛି । ବିରୋଧୀ ଦଳମାନେ କେବଳ ଘୋଟାଲା ଗ୍ୟାରେଣ୍ଟି ଦେଇପାରନ୍ତି । ସବୁ ବିରୋଧୀ ଦଳଙ୍କ ଘୋଟାଲା ମିଶାଇଲେ ୨୦ ଲକ୍ଷ କୋଟି ଟଙ୍କା ଘୋଟାଲାର ଗ୍ୟାରେଣ୍ଟି ହେବ । କଂଗ୍ରେସ ସରକାର ଥିବା ବେଳେ ୧.୮୬ ଲକ୍ଷ କୋଟିର କୋଇଲା ଘୋଟାଲା, ୧.୭୬ ଲକ୍ଷ କୋଟିର ଟୁଜି ଘୋଟାଲା, ୭୦ ହଜାର କୋଟିର କମନ୍ୱେଲ୍ଥ ଘୋଟାଲା ହୋଇଥିଲା । ଆର୍ଜେଡିର ଚାରା ଘୋଟାଲା, ଆଲକାତାର ଘୋଟାଲା, ପଶୁପାଳନ ସେଡ୍ ଘୋଟାଲା, ବନ୍ୟା ରିଲିଫ୍ ଘୋଟାଲା ଆଦିର ସୂଚୀ ବହୁତ ବଡ । ତାମିଲନାଡୁରେ ବି ସେହିପରି । ଟିଏମ୍ସି ଉପରେ ୨୩ ହଜାର କୋଟିର ଘୋଟାଲା ଅଭିଯୋଗ ଅଛି । ତାହାଛଡା ରୋଜ୍ଭ୍ୟାଲି, ସାରଦା, ଶିକ୍ଷକ ନିଯୁକ୍ତି ଓ ଗୁରୁ ଚାଲାଣ ଘୋଟାଲା ରହିଛି । ଏନ୍ସିପି ଉପରେ ବି ୭୦ ହଜାର କୋଟିର ଘୋଟାଲା ଅଭିଯୋଗ ଅଛି । ମୁଁ ମଧ୍ୟ ଗୋଟିଏ ଗ୍ୟାରେଣ୍ଟି ଦେଉଛି । ତାହା ସବୁ ଘୋଟାଲାବାଜ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *