ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ
କାହିରା,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର କାହିରାରୁ ଦିଲ୍ଲୀ ଅଭିମୁଖେ ଫେରୁଛନ୍ତି । ରବିବାର ବିଳମ୍ବିତ ରାତିରେ ସେ ନୂଆଦିଲ୍ଲୀରେ ପହଞ୍ଚôବେ । ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ଇଜିପ୍ଟ ଗସ୍ତ କରିଥିଲେ । ଇଜିପ୍ଟରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଅର୍ଡ଼ର ଅଫ୍ ଦ ନାଇଲ୍ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଅବଦେଲ୍ ଫତେହ ଅଲ୍-ସିସି । ପ୍ରଧାନମନ୍ତ୍ରୀ ମିଶାଇ ଏହାକୁ ମିଶାଇ ୧୩ଟି ଦେଶର ସର୍ବୋଚ୍ଚ ସମ୍ମାନ ପାଇଲେଣି । ଭାରତର ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ମିଶର ଓ ଭାରତ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଛଡ଼ା କୃଷି କ୍ଷେତ୍ର, ସ୍ମାରକ ସୁରକ୍ଷା ଓ ସଂରକ୍ଷଣ ପ୍ରଭୃତି ବିଷୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଇଜିପ୍ଟରେ ପ୍ରଧାନମନ୍ତ୍ରୀ ଏକାଦଶ ଶତାବ୍ଦୀର ଅଲ୍-ହାକିମୋ ମସଜିଦ୍ ଓ ଗୀଜା ପିରାମିଡ୍ ପରିଦର୍ଶନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୩୭୯୯ ଭାରତୀୟ ସୈନିକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।