ଯଶସ୍ୱୀ ହେବେ କି ଭାରତର ନୂଆ ‘ପ୍ରାଚୀର’
ନୂଆଦିଲ୍ଲୀ, ୨୫ା୬ (ଏଜେନ୍ସି): ଭାରତର ଟେଷ୍ଟ କ୍ରିକେଟ୍ ଟିମ୍ ଏବେ ଉତ୍ଥାନ-ପତନର ସମୟ ଦେଇ ଗତି କରୁଛି । କେତେକ ଅଭିଜ୍ଞ ଖେଳାଳି ବୟସାଧିକ୍ୟ ଯୋଗୁଁ ତ କେତେକ ଖରାପ ପ୍ରଦର୍ଶନ ଯୋଗୁଁ ଟିମ୍ରୁ ବାଦ୍ ପଡ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ୩୫ ବର୍ଷୀୟ ଚେତେଶ୍ୱର ପୂଜାରା । ତାଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତୀୟ ଟେଷ୍ଟ ଟିମ୍ରୁ ବାଦ୍ ଦିଆଯାଇଛି ।
ପୂଜାରା ଦୀର୍ଘ ଦିନ ଧରି ଭାରତର ବ୍ୟାକ୍ବୋନ୍ ରହିଆସିଛନ୍ତି । ସେ ଘରୋଇ ଓ ବିଦେଶ ପିଚ୍ରେ କ୍ରିଜ୍ରେ ଦୀର୍ଘ ସମୟ ବିତାଇଛନ୍ତି ଏବଂ ରନ୍ କରି ବିରୋଧୀ ବୋଲର୍ମାନଙ୍କୁ ସମସ୍ୟାରେ ପକାଇଛନ୍ତି । ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ଼ ଏହି କାର୍ଯ୍ୟ କରୁଥିଲେ । ଉଭୟ ତିନି ନମ୍ବରରେ ବ୍ୟାଟିଂ କରୁଥିଲେ । ଏବେ କାରିବୀୟ ଗସ୍ତରେ ତାଙ୍କ ବଦଳରେ ଯଶସ୍ୱୀ ଜୟସ୍ୱାଲ ଓ ଋତୁରାଜ ଗାଏକୱାଡ଼ଙ୍କ ଭଳି ଯୁବ ଖେଳାଳିଙ୍କ ଚୟନ କରାଯାଇଛି ।
ପରିସଂଖ୍ୟାନ, କୌଶଳ ଓ ପୂର୍ବ ରେକର୍ଡକୁ ଦେଖିଲେ ମନେ ହେଉଛି ଯେ ଯଶସ୍ୱୀଙ୍କୁ ଋତୁରାଜଙ୍କ ପୂର୍ବରୁ ଡେବୁ୍ୟ କରିବାର ସୁଯୋଗ ମିଳିବ । ଅଧିନାୟକ ରୋହିତ ଶର୍ମା ଓ ଶୁୁଭମନ ଗିଲ୍ ଓପନିଂ ସ୍ଥାନରେ ଅଛନ୍ତି; ଏପରିସ୍ଥଳେ ଯଶସ୍ୱୀ, ପୂଜାରାଙ୍କ ସ୍ଥାନରେ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି ।
ଡେବୁ୍ୟ ପୂର୍ବରୁହିଁ ୨୧ ବର୍ଷୀୟ ଯଶସ୍ୱୀଙ୍କ ଉପରେ ଦ୍ରାବିଡ଼ ଓ ପୂଜାରାଙ୍କ ଅଭାବ ପୂରଣ କରିବାର ଦାୟିତ୍ୱ ରହିବ । ଏହି ଦୁଇ ବ୍ୟାଟର୍ ଭାରତ ପକ୍ଷରୁ ଗତ ୨୮ ବର୍ଷ ମଧ୍ୟରେ ୨୦ ହଜାରରୁ ଅଧିକ ରନ୍ କରିବା ସହ ୫୫ ଶତକ ଲଗାଇଛନ୍ତି ।
ଯଶସ୍ୱୀ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି)ରେ ଭାରତୀୟ ଟିମ୍ରେ ରିଜର୍ଭ ଖେଳାଳି ଭାବେ ରହିଥିଲେ । ତେବେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନ ଥିଲା, ହେଲେ ଏବେ ଡବ୍ଲୁ୍ୟଟିସିର ନୂଆ ଚକ୍ରରେ ସେ ତିନି ନମ୍ବର ବ୍ୟାଟର୍ ଭାବେ ଟେଷ୍ଟ କ୍ୟାରିଅର ଆରମ୍ଭ କରିପାରନ୍ତି ।
ଘରୋଇ କ୍ରିକେଟ୍ରେ ଯଶସ୍ୱୀଙ୍କ ଚମକପ୍ରଦ ରେକର୍ଡ
ଯଶସ୍ୱୀ ଘରୋଇ କ୍ରିକେଟ୍ରେ ଗତ ତିନି ବର୍ଷ ହେଲା ଚମକପ୍ରଦ ପ୍ରଦର୍ଶନ କରିଆସୁଛନ୍ତି । ସେ ମୁମ୍ବାଇ ପକ୍ଷରୁ ଖେଳନ୍ତି ଏବଂ ୨୦୧୯ରେ ଛତିଶଗଡ଼ ବିପକ୍ଷରେ ରଣଜୀ ଟ୍ରଫି ଡେବୁ୍ୟ କରିଥିଲେ । ସେତେବେଳେ ଯଶସ୍ୱୀ ତିନି ନମ୍ବରରେ ବ୍ୟାଟିଂ କରୁଥିଲେ । ଏହାପରେ ସେ ମୁମ୍ବାଇ ପକ୍ଷରୁ ଓପନିଂ କରିଥିଲେ ଏବଂ ପୂର୍ବ ଦୁଇ ସିଜନ୍ରେ ସେ ଓପନର୍ ଭାବେ ବହୁତ ରନ୍ କରିଛନ୍ତି ।
୨୦୧୯-୨୦ରେ ଯଶସ୍ୱୀ ବିଜୟ ହଜାରେ ଟ୍ରଫି (ଦିନିକିଆ ଟୁର୍ଣ୍ଣାମେଣ୍ଟ)ର ଟପ୍-୫ ସ୍କୋରର୍ଙ୍କ ମଧ୍ୟରେ ରହିଥିଲେ । ସେ ଛଅ ମ୍ୟାଚ୍ରେ ୧୧୨.୮୦ ଆଭରେଜ୍ରେ ୫୬୪ ରନ୍ ସଂଗ୍ରହ କରିଥିଲେ । ସେ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ୱିଶତକ ଲଗାଇବାରେ ବିଶ୍ୱର ସର୍ବକନିଷ୍ଠ କ୍ରିକେଟର୍ ।
ଯଶସ୍ୱୀ ୨୦୨୧-୨୨ ରଣଜୀ ସିଜନ୍ରେ ତିନି ମ୍ୟାଚ୍ ଖେଳି ୮୩ ଆଭରେଜ୍ରେ ୪୯୮ ରନ୍ କରିଥିଲେ, ଯେଉଁଥିରେ ତିନି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ସେ ଚଳିତ ବର୍ଷ ଘରୋଇ ସିଜନ୍ ଆରମ୍ଭରେ ଦଲୀପ ଟ୍ରଫି ଓ ଇରାନୀ କପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦ୍ୱିଶତକ ଲଗାଇଥିଲେ । ୨୦୨୨-୨୩ ରଣଜୀ ସିଜନ୍ରେ ସେ ପାଞ୍ଚ ମ୍ୟାଚ୍ ଖେଳି ୪୫ ଆଭରେଜ୍ରେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହାୟତାରେ ୩୧୫ ରନ୍ କରିଥିଲେ ।
ଆଇପିଏଲ୍ରେ ବି ଦମ୍ଦାର ପ୍ରଦର୍ଶନ
ଯଶସ୍ୱୀ ୨୦୨୦ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳିବା ପରେ ଆଇପିଏଲ୍ରେ ଡେବୁ୍ୟ କରିଥିଲେ । ସେହି କନିଷ୍ଠ ବିଶ୍ୱକପ୍ରେ ସେ ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ । ଆଇପିଏଲ୍ରେ ସେ ପ୍ରଥମେ ଆଭରେଜ୍ ପ୍ରଦର୍ଶନ କରିବା ପରେ ପୂର୍ବ ସିଜନ୍ରେ ଉତ୍ତମ ପ୍ରଦର୍ଶନ କରିଥିଲେ ଏବଂ ‘ଏମର୍ଜିଂ ପ୍ଲେୟର୍ ଅଫ୍ ଦ ସିଜନ୍’ ପୁରସ୍କାର ଜିତିଥିଲେ ।
ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଜୋସ୍ ବଟ୍ଲର୍ଙ୍କ ସହିତ ଓପନିଂ କରିଥିଲେ ଏବଂ ପ୍ରଦର୍ଶନରେ ବଟ୍ଲର୍ଙ୍କୁ ପଛରେ ପକାଇଥିଲେ । ୧୪ ମ୍ୟାଚ୍ରେ ୬୨୫ ରନ୍ ସହ ଯଶସ୍ୱୀ ସିଜନ୍ର ଟପ୍-୫ ସ୍କୋରର୍ଙ୍କ ମଧ୍ୟରେ ସାମିଲ ଥିଲେ । ସେ ଗୋଟିଏ ଶତକ ବି ଲଗାଇଥିଲେ ।
୨୦୨୨ରେ ଯଶସ୍ୱୀ ବାଂଲାଦେଶ-ଏ ବିପକ୍ଷରେ ଇଣ୍ଡିଆ-ଏ ପକ୍ଷରୁ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଉଭୟ ମ୍ୟାଚ୍ରେ ଇଣ୍ଡିଆ-ଏ ଗୋଟିଏ ଇନିଂସ୍ହିଁ ଖେଳିପାରିଥିଲା । ପ୍ରଥମ ମ୍ୟାଚ୍ରେ ସେ ଓପନିଂ କରି ୧୪୬ ରନ୍ର ଇନିଂସ୍ ଖେଳିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୧୨ ରନ୍ କରିଥିଲେ ।
ଯଶସ୍ୱୀଙ୍କ ପାଖରେ ସଟ୍ ଅଛି, ହେଲେ ଦ୍ରାବିଡ଼-ପୂଜାରାଙ୍କ ଭଳି ଡିଫେନ୍ସିଭ୍ ନୁହନ୍ତି
ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ଯଶସ୍ୱୀଙ୍କ ଦମ୍ଦାର ଷ୍ଟ୍ରାଇକ୍ ରେଟ୍ ରହିଛି । ତାଙ୍କ ପାଖରେ ଉନ୍ନତ ଟେକ୍ନିକ୍ ରହିଛି, ସଟ୍ର ଅଭାବ ନାହିଁ । ତାଙ୍କ ଫୁଟ୍ୱାର୍କ ଓ ଟାଇମିଂ ମଧ୍ୟ ବିସ୍ମୟକର । ସେ ଠିକ୍ ସଟ୍ ଖେଳନ୍ତି ଏବଂ ରିସ୍କି ସଟ୍ ଖେଳିବା ପାଇଁ ଅଧିକ ଚେଷ୍ଟା କରନ୍ତି ନାହିଁ । ଏ ସବୁ ତାଙ୍କୁ ଟେଷ୍ଟରେ ବହୁତ ଆଗକୁ ନେଇପାରେ ।
ଯଶସ୍ୱୀଙ୍କ ଷ୍ଟ୍ରାଇକ୍ ରେଟ୍ ତାଙ୍କୁ ଦ୍ରାବିଡ଼ ଓ ପୂଜାରାଙ୍କ ଠାରୁ ଅଲଗା କରେ । ଦ୍ରାବିଡ଼ ଓ ପୂଜାରା ନିଜ ଟେଷ୍ଟ କ୍ୟାରିଅରରେ ୪୫ରୁ କମ୍ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଛନ୍ତି, ଯେତେବେଳେକି ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ଯଶସ୍ୱୀଙ୍କ ଷ୍ଟ୍ରାଇକ୍ ରେଟ୍ ୬୭.୪୮ ।
ଏପରିସ୍ଥଳେ ଏହା କହିବା ଏତେ ସହଜ ନୁହେଁ ଯେ ଯଶସ୍ୱୀ ପରବର୍ତ୍ତୀ ‘ଦ ୱାଲ୍’ (ପ୍ରାଚୀର) ହୋଇ ପ୍ରତିପକ୍ଷ ବୋଲର୍ଙ୍କ ପାଇଁ ଧୈର୍ଯ୍ୟର ପରୀକ୍ଷା ନେବେ, କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ଯୁବ କ୍ରିକେଟର୍ଙ୍କ ପାଖରେ ଟିମ୍ ଇଣ୍ଡିଆରେ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବାର ଅସୀମ କ୍ଷମତା ରହିଛି ।