ଆଡ଼ପ ମଣ୍ଡପରେ ଦର୍ଶନ କରି ଭକ୍ତ ବିଭୋର
ପୁରୀ (ବୁ୍ୟରୋ): ଶ୍ରୀଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ । ଶନିବାର ହଜାର ହଜାର ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଆଡପ ଦର୍ଶନ ପାଇଛନ୍ତି । ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନପ୍ରସାଦ । ଲଗାତାର ଦୁଇଦିନ ଧରି ଶ୍ରଦ୍ଧାଳୁ ପାଇଛନ୍ତି ଆଡ଼ପ ଅବଢ଼ା । ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ଅବଢ଼ା ପାଇଲା ପରେ ଶ୍ରଦ୍ଧାଳୁଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଲଗାତାର ତିନି ଦିନ ଧରି ମହାପ୍ରଭୁ ରଥାରୂଢ଼ ଅବସ୍ଥାରେ ତାଙ୍କର ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲା ପରେ ଗୁରୁବାର ସନ୍ଧ୍ୟାରେ ବିଜେ ହୋଇଥିଲେ ଆଡ଼ପ ମଣ୍ଡପକୁ । ଫଳରେ ଭୋର ସମୟରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ୭ଟା ୪୫ରେ କରାଯାଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ୯ଟା ୫୦ରୁ ୧୦ଟା ୪୦ ସାହାଣ ମେଲା ଦର୍ଶନ ହୋଇଥିଲା । ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ମୁଖ୍ୟଦ୍ୱାର ଦେଇ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିଥିଲେ । ସାହାଣ ମେଲା ଦର୍ଶନ ଶେଷ ହେଲା ପରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦିନତମାମ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ ।
ଦ୍ୱିତୀୟ ଦିନରେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ବିଭୋର ହୋଇଥିଲେ ଭକ୍ତ । ଫଳରେ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ପାଲଟିଯାଇଛି ଏକ ଆଧ୍ୟାତ୍ମିକ ପରିବେଶ । ବର୍ଷସାରା ଖାଲି ପଡ଼ିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଏବେ ହୋଇପଡ଼ିଛି ଚଳଚଞ୍ଚଳ । ସମସ୍ତେ ଏବେ ଗୁଣ୍ଡିଚା ମନ୍ଦିର ଅଭିମୁଖେ । ଶନିବାର ଦିନତମାମ ପାଗ ଠିକ୍ ରହିଥିବାରୁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଥିଲା ।