ତୁଠରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର
ରାଜନଗର, ୨୧ା୬ (ଆପ୍ର): ବୁଧବାର ଅପରାହ୍ନରେ ରାଜନଗର ବ୍ଲକରେ ଜଣେ ମହିଳା ପୋଖରୀ ତୁଠରେ ବାସନ ମାଜୁଥିବା ସମୟରେ କୁମ୍ଭୀର ଟାଣି ନେଇଛି । ନାଳ ଭିତରେ ଜାଲ ଟାଣି ବନକର୍ମଚାରୀମାନେ ପ୍ରଥମେ ଦଳ କାଢ଼ିବା ପରେ ଜେସିବି ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଇଛି । ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ ଦାସ (୪୫) ଆଜି ଅପରାହ୍ନ ୨ଟାରେ ଖାଇ ସାରି ଘର ପଛ ପଟେ ଥିବା ପୋଖରୀ କୂଳରେ ବସି ବାସନ ମାଜୁଥିଲେ । ଏହି ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଝାମ୍ପ ମାରି ସୀତାଙ୍କୁ ଟାଣି ନେଲା । ଏହା ପରେ କୁମ୍ଭୀର ପୋଖରୀ ପାର ହୋଇ ଚଡଦିଆ ନାଳ ମଧ୍ୟକୁ ଚାଲିଯାଇଥିଲା ।
କୁମ୍ଭୀର ଟାଣି ନେବା ବେଳେ ସୀତା ‘ରକ୍ଷାକର…ରକ୍ଷାକର’ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡି ଆସିଥିଲେ ମଧ୍ୟ ବ୍ରାହ୍ମଣୀ ନଦୀର ଝାରପଡ଼ା ନିକଟରୁ ବାହାରିଥିବା ଏହି ନାଳ ଦଳରେ ଭର୍ତ୍ତି ହୋଇଥିବାରୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ କେହି ସାହସ କରି ନଥିଲେ ।ବନବିଭାଗର କର୍ମଚାରୀ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦଳ ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା । ନାଳ ଭିତରେ ଜାଲ ଟାଣି ବନକର୍ମଚାରୀମାନେ ପ୍ରଥମେ ଦଳ କାଢ଼ିବା ଆରମ୍ଭ କରିଥିଲେ । ପରେ ଜେସିବି ମାଧ୍ୟମରେ ଦଳ ଛଣା ଯିବା ପରେ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଖବର ଜାଣିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା । ଲୋକେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ଦୁଇପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିଲା । ତହସିଲଦାର ଅଶ୍ୱିନୀ ଭୁୟାଁ, ଆଇଆଇସି ଶ୍ରୀକାନ୍ତ ବାରିକ, ସରପଞ୍ଚ ଚିତ୍ତ ରଞ୍ଜନ ପଣ୍ଡା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।
ଜିଲ୍ଲାପାଳଙ୍କ ସହ କଥା ହୋଇ ତହସିଲଦାର ରେଡକ୍ରସ ପାଣ୍ଠିରୁ ଶବ ସତ୍କାର ପାଇଁ ୧୦ହଜାର ଟଙ୍କା ଦେଇଥିଲେ । ମୃତ ମହିଳାଙ୍କ ସ୍ୱାମୀ ପୁଣେରେ ଦାଦନ ଖଟୁଥିବା ବେଳେ ବଡ଼ଝିଅ ଓ ବଡ଼ପୁଅ କେରଳରେ କାମ କରୁଛନ୍ତି । ବୃଦ୍ଧା ଶାଶୁଙ୍କ ସହ ୧୧ବର୍ଷର ସାନପୁଅ ଆକାଶ ଘରେ ଥିଲେ । ବୁଧବାର ସ୍କୁଲ ଖୋଲିଥିବାରୁ ପୁଅ ସ୍କୁଲ ଯାଇଥିଲା । ଶାଶୁ ଘରେ ଖାଉଥିବା ବେଳେ ସୀତା ଆଗୁଆ ଖାଇ ସାରି ବାସନ ଧୋଇବାକୁ ପୋଖରୀ କୂଳକୁ ଯାଇଥିଲେ । ଶାଶୁ ଖାଇ ସାରିବା ପୂର୍ବରୁ ବୋହୂ କୁମ୍ଭୀର ଆକ୍ରମଣର ଶିକାର ହୋଇ ସାରିଥିଲେ । ଦୀର୍ଘବର୍ଷ ଧରି କୁମ୍ଭୀର ଓ ମଣିଷ ଲଢେଇ ଭିତରେ ବହୁ ଅମୂଲ୍ୟ ଜୀବନର ଦୀପ ଲିଭି ଯାଇଛି । ରାଜନଗର ବନବିଭାଗ ପକ୍ଷରୁ ନଦୀ କୂଳିଆ ଲୋକମାନଙ୍କୁ କୁମ୍ଭୀର ଉପଦ୍ରବରୁ ରକ୍ଷା କରିବା ପାଇଁ ନିରାପଦ ତୁଠ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଲୋକଙ୍କୁ ସୁରକ୍ଷା ଦେଇପାରୁ ନାହିଁ ।