ପୁଣି ଫାଇନାଲ୍ରେ ହାରିଲା ଭାରତ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍
ଲଣ୍ଡନ, ୧୧ା୬ (ଏଜେନ୍ସି): ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି)ର ଫାଇନାଲ୍ ମ୍ୟାଚ୍ରେ ପରାଜିତ ହୋଇଛି । ରୋହିତ ସେନାକୁ ଅଷ୍ଟ୍ରେଲିଆ ୨୦୯ ରନ୍ରେ ପରାସ୍ତ କରିଛି । ଏହା ସହିତ ଅଷ୍ଟ୍ରେଲିଆ ସମସ୍ତ ଆଇସିିସି ଟ୍ରଫି ଜିତିବାରେ ପ୍ରଥମ ଟିମ୍ ହୋଇଛି । ଟିମ୍ର ଟ୍ରେଭିସ୍ ହେଡ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
୪୪୪ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିବା ଭାରତୀୟ ଟିମ୍ ଅନ୍ତିମ ଦିନର ପ୍ରଥମ ସତ୍ରରେ ୨୩୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସ୍ରେ ଟିମ୍ର କୌଣସି ବ୍ୟାଟର୍ ୫୦+ ସ୍କୋର୍ କରିପାରି ନ ଥିଲେ । ବିରାଟ କୋହଲି ସର୍ବାଧିକ ୪୯ ରନ୍ କରିଥିଲେ । ଭାରତୀୟ ଟିମ୍ ଡବ୍ଲୁ୍ୟଟିସିର ପୂର୍ବ ସଂସ୍କରଣରେ ମଧ୍ୟ ଫାଇନାଲ୍କୁ ଯାଇଥିଲେହେଁ ନୁ୍ୟଜିଲାଣ୍ଡ ଠାରୁ ହାରି ଯାଇଥିଲା ।
ଦ ଓଭାଲ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୪୬୯ ରନ୍ କରିଥିବା ବେଳେ ଭାରତ ୨୯୬ ରନ୍ରେ ସୀମିତ ରହିଥିଲା । ଏହାପରେ ଅଷ୍ଟ୍ରେଲୀୟ ଟିମ୍ ୨୭୦/୮ ସ୍କୋର୍ରେ ଦ୍ୱିତୀୟ ଇନିଂସ୍ ସମାପ୍ତ ଘୋଷଣା କରିଥିଲା ।
୭୦ ରନ୍ରେ ପଡ଼ିଲା ୭ ୱିକେଟ୍
ଭାରତୀୟ ଟିମ୍ ୧୬୪/୩ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଶେଷ ଦିନ ଟିମ୍କୁ ବିଜୟ ପାଇଁ ୨୮୦ ରନ୍ ଆବଶ୍ୟକ ଥିଲା ଏବଂ ହାତରେ ଥିଲା ୭ ୱିକେଟ୍ । କିନ୍ତୁ ୭୦ ରନ୍ ମଧ୍ୟରେ ଅବଶିଷ୍ଟ ୭ ୱିକେଟ୍ ପଡ଼ିଥିଲା ।
ପୂର୍ବ ଦିନ କୋହଲି ଓ ରାହାଣେ ଅପରାଜିତ ଥିଲେ । କୋହଲିଙ୍କ ଠାରୁ ବଡ଼ ଇନିଂସ୍ ଆଶା କରାଯାଉଥିଲା । ସ୍କଟ୍ ବୋଲାଣ୍ଡ ଏହି ଆଶାକୁ ଧୂଳିସାତ୍ କରିଦେଇଥିଲେ । କୋହଲି (୪୯) ବୋଲାଣ୍ଡଙ୍କ ବଲ୍ରେ ସ୍ଲିପ୍ରେ ଷ୍ଟିଭ୍ ସ୍ମିଥ୍ଙ୍କୁ କ୍ୟାଚ୍ ଦେଇଥିଲେ । ସେହି ଓଭର୍ରେ ରବୀନ୍ଦ୍ର ଜାଡ଼େଜା କୌଣସି ସ୍କୋର୍ ନ କରି ପାଭିଲିଅନ୍ ଫେରିଥିଲେ । ୱିକେଟ୍କିପର୍ ଆଲେକ୍ସ କାରୀ ଏହି କ୍ୟାଚ୍ ଧରିଥିଲେ ।
୧୭୯ ରନ୍ରେ ଟିମ୍ର ଅଧା ଖେଳାଳି ପାଭିଲିଅନ୍ ଫେରିଥିଲେ । ଏହାପରେ ରାହାଣେ ନୂଆ ବ୍ୟାଟର୍ ଶ୍ରୀକର ଭରତଙ୍କ ସହ ମିଶି ଇନିଂସ୍କୁ କିଛି ବାଟ ଆଗେଇ ନେଇଥିଲେ । ଏହି ଯୋଡ଼ିକୁ ଭାଙ୍ଗିଥିଲେ ମିଚେଲ୍ ଷ୍ଟାର୍କ । ରାହାଣେ ବ୍ୟକ୍ତିଗତ ୪୬ ରନ୍ରେ କାରୀଙ୍କୁ କ୍ୟାଚ୍ ଦେଇଥିଲେ । ଏହା ସହିତ ଟିମ୍ର ଶେଷ ଆଶା ବି ମଉଳି ଯାଇଥିଲା ।
ପୂର୍ବ ଇନିଂସ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଶାର୍ଦ୍ଦୂଳ ଠାକୁର ଖାତା ଖୋଲି ନ ପାରି ନାଥନ୍ ଲାୟନ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଏହାପରେ ଉମେଶ ଯାଦବ ୧ ରନ୍ କରି ଷ୍ଟାର୍କଙ୍କ ବଲ୍ରେ ପାଭିଲିଅନ୍ ଫେରିଥିବା ବେଳେ ଭରତ (୨୩) ଓ ମହମ୍ମଦ ସିରାଜ (୧) ଲାୟନ୍ଙ୍କ ଶିକାର ହୋଇଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ ସର୍ବାଧିକ ୪ ୱିକେଟ୍ ନେଇଥିଲେ । ବୋଲାଣ୍ଡ ୩, ଷ୍ଟାର୍କ ୨ ଓ ପାଟ୍ କମିନ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।