ଟ୍ରେନ୍ରେ କଟି ୬ ମୃତ

ଝଡ଼ ବେଳେ ୱାଗନ ତଳେ ଆଶ୍ରୟ ନେଇଥିଲେ ୮ ଶ୍ରମିକ
କୋରେଇ/କଳିଙ୍ଗନଗର, ୭ା୬ (ଆପ୍ର): ବୁଧବାର ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନ ଅର୍ନ୍ତଗତ ଚୁନଭାଟି ନିକଟରେ ଏକ ମାଲବାହୀ ଗାଡି ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଯାଜପୁର-କେନ୍ଦ୍ୁଝର ରୋଡ୍ ଷ୍ଟେସନ ଅନ୍ତର୍ଗତ ରେଳବାଇ ପ୍ଲଟ ନିକଟରେ ଅପରାହ୍ଣ ୩ଟା ୪୫ ମିନିଟ ସମୟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣଙ୍କର ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ବାଟରେ ମୃତୁ୍ୟ ଘଟିଛି । ଅନ୍ୟ ଗୁରୁତର ୨ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଂଚାୟତ ଗମ୍ଭାରିଆ ଗ୍ରାମର ଗୈାତମ ସାମଲ (୫୫), ମାନସ ସାମଲ (୩୬), ବାଲିଆପାଳ ଗ୍ରାମର ସୁଶାନ୍ତ ଜେନା (୪୮), ଭୀମସେନ ଜେନା, ପ୍ରଶାନ୍ତ ଜେନା ଏବଂ ମକୁନ୍ଦପୁର ପଞ୍ଚାୟତ ଓସଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ ବୋଲି ସୂଚନା ମିଳିଛି । ଘଟଣାମୁତାବକ ଚୂନଭାଟି ରେଳବାଇ ପ୍ଲଟ ନିକଟରେ ରେଳବାଇ କାର୍ଯ୍ୟରେ କୋରେଇ ଅଞ୍ଚଳର କିଛି ଲୋକ କାର୍ଯ୍ୟରତ ଥିବା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବର୍ଷା ହେବା ଫଳରେ କାର୍ଯ୍ୟରତ ଏହି ଶ୍ରମିକମାନେ ହଠାତ୍ ନିକଟରେ ଥିବା ମାଲବାହି ରେଳ ୱାଗନ ତଳେ ଆଶ୍ରୟ ନେଇଥିଲେ । ହେଲେ ପ୍ରବଳ ପବନ ଫଳରେ ଶେଷ ୱାଗନଟି ଫଛକୁ ଗଡିଯିବା ଫଳରେ ଆଶ୍ରୟ ନେଇଥିବା ଶ୍ରମିକମାନେ ସେଠାରୁ ବାହାରକୁ ବାହାରି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ୪ ଜଣ ମୃତୁ୍ୟବରଣ କରିଥିବା ବେଳେ ମେଡିକାଲ ଯିବା ସମୟରେ ୩ ଜଣ ମୃତୁ୍ୟବରଣ କରିଛନ୍ତି । ଏନେଇ ଖୋର୍ଦ୍ଧା ଡିଆରଏମ୍ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହିତ ଏହି ମାଲବାହି ଗାଡିରେ କୈାଣସି ଇଂଜିନ ସଂଯୋଗ ନଥିବା ବେଳେ ୱାଗନ ଲକ୍ ହ୍ୟାଣ୍ଡେଲକୁ କେହି ବ୍ୟକ୍ତି ଖୋଲିଦେବା ଫଳରେ ପ୍ରବଳ ପବନ ଯୋଗୁଁ ଗୋଟିଏ ହୁକ ମଧ୍ୟରେ ସମସ୍ତ ୱାଗନ ରହିନପାରି ପଛକୁ ଗଡି ଆସିବା ଫଳରେ ଏପରି ଦୁଖଃଦ ଘଟଣା ଘଟିଛି । ତେବେ ଏହି ଘଟଣାପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଯାଜପୁର ମୁଖ୍ୟ ଚିିକିତ୍ସା ଅଧିକାରୀ ଶିବାଶିଷ ମହାରଣା, ରାଜ୍ୟ ସରକାରଙ୍କ ମୋ କଲେଜ ଅଧ୍ୟକ୍ଷ ତଥା ପ୍ରାକ୍ତନ କୋରେଇ ବିଧାୟକ ଆକାଶ ଦାସନାୟକ, ବିଧାୟକ ଅଶୋକ ବଳ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବିଜେପି ନେତା ଆଲେକ୍ସଜ୍ୟାଣ୍ଡର ଦାସ, ବିଶ୍ୱଜିତ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ୱନା ଦେବା ସହିତ ମୃତକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *