ମଜଭୁତ ସ୍ଥିତିରେ ଅଷ୍ଟ୍ରେଲିଆ
ଡବ୍ଲୁ୍ୟଟିସି ଫାଇନାଲ୍, ପ୍ରଥମ ଦିବସ
ଲଣ୍ଡନ, ୭ା୬ (ଏଜେନ୍ସି): ଟ୍ରେଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥ୍ଙ୍କ ଦ୍ୱିଶତକୀୟ ଭାଗୀଦାରୀ ବଳରେ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ର ପ୍ରଥମ ଦିବସରେ ମଜଭୁତ ସ୍ଥିତିରେ ପହଞ୍ଚିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ କଙ୍ଗାରୁ ଟିମ୍ ୮୫ ଓଭର୍ରେ ୩ ୱିକେଟ୍ ହରାଇ ୩୨୭ ରନ୍ ସଂଗ୍ରହ କରିଥିଲା । ଟ୍ରେଭିସ୍ ହେଡ୍ ୧୪୬ (୧୫୬ ବଲ୍ରୁ) ଓ ଷ୍ଟିଭେନ୍ ସ୍ମିଥ୍ ୯୫ (୨୨୭ ବଲ୍ରୁ) ରନ୍ କରି ଅପରାଜିତ ଥିଲେ । ହେଡ୍ଙ୍କ ଇନିଂସ୍ରେ ୨୨ ଚୌକା ଓ ୧ ଛକା ରହିଥିବା ବେଳେ ସ୍ମିଥ୍ ୧୪ ଚୌକା ଲଗାଇଥିଲେ ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ର୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ୍ ଆରମ୍ଭରେ ଉଭୟ ଟିମ୍ର ଖେଳାଳି ବାହାନଗା ରେଳ ଦୁର୍ଘଟଣାର ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଳା ପଟି ବାନ୍ଧିକି ଗ୍ରାଉଣ୍ଡକୁ ଆସିଥିଲେ । ସଂଯୋଗବଶତଃ, ଉଭୟ ଟିମ୍ର ଅଧିନାୟକଙ୍କ ଏହା ୫୦ତମ ଟେଷ୍ଟ ମ୍ୟାଚ୍ । ଭାରତୀୟ ଟିମ୍ ଚାରି ପେସର୍ ଓ ଜଣେ ସ୍ପିନର୍ଙ୍କୁ ଖେଳାଇଥିଲେ । ବାମହାତି ସ୍ପିନର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ବେଞ୍ଚ୍ରେ ବସାଯାଇଥିଲା ।
ପ୍ରଥମ ସତ୍ରରେ ଭାରତୀୟ ପେସର୍ଙ୍କ ଆଧିପତ୍ୟ ରହିଥିଲା । କଙ୍ଗାରୁ ଟିମ୍ ଭୋଜନକାଳ ବିରତି ବେଳକୁ ୨ ୱିକେଟ୍ ହରାଇ ୭୩ ରନ୍ ସଂଗ୍ରହ କରିଥିଲା । ଉସ୍ମାନ ଖୱାଜା ଖାତା ଖୋଲି ନ ପାରି ମହମ୍ମଦ ସିରାଜଙ୍କ ବଲ୍ରେ ୱିକେଟ୍କିପର୍ ଶ୍ରୀକର ଭରତଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ ଅନ୍ୟତମ ଓପନର୍ ଡେଭିଡ୍ ୱାର୍ଣ୍ଣର ନୂଆ ବ୍ୟାଟର୍ ମାର୍ନସ ଲାବୁସନେ ସ୍ଥିତି ସମ୍ଭାଳି ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଗ କରିଥିଲେ । ୱାର୍ଣ୍ଣର (୪୩)ଙ୍କୁ ଆଉଟ୍ କରି ଶାର୍ଦ୍ଦୂଳ ଠାକୁର ଏହି ଯୋଡ଼ି ଭାଙ୍ଗିଥିଲେ । ଏହି ଓପନର୍ ମଧ୍ୟ ଭରତଙ୍କୁ କ୍ୟାଚ୍ ଦେଇଥିଲେ ।
ଦ୍ୱିତୀୟ ସତ୍ରର ଆଦ୍ୟଭାଗରେ ଲାବୁସନେ (୨୬)ଙ୍କୁ ବୋଲ୍ଡ କରି ମହମ୍ମଦ ଶାମୀ ଭାରତ ପାଇଁ ତୃତୀୟ ସଫଳତା ଆଣିଦେଇଥିଲେ । ୭୬ ରନ୍ରେ ତିନି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ ।
ଏହାପରେ ସ୍ଥିତି ବଦଳିଗଲା । ଷ୍ଟିଭେନ୍ ସ୍ମିଥ୍ ଓ ଟ୍ରେଭିସ୍ ହେଡ୍ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ଅନାୟାସରେ ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ହେଡ୍ ୬୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଚା’ପାନ ବିରତି ସୁଦ୍ଧା ଏହି ଯୋଡ଼ି ଭାଙ୍ଗିବା ସମ୍ଭବପର ହୋଇ ନ ଥିଲା ଏବଂ ସ୍କୋର୍ ହୋଇଥିଲା ୧୭୦/୩ ।
ଅନ୍ତିମ ସତ୍ରରେ ବି ଉଭୟଙ୍କ ଦମ୍ଦାର ପ୍ରଦର୍ଶନ ଅବ୍ୟାହତ ରହିଥିଲା । ସ୍ମିଥ୍ ୧୪୪ ବଲ୍ରୁ ତାଙ୍କ ଟେଷ୍ଟ କ୍ୟାରିଅର୍ର ୩୮ତମ ଅର୍ଦ୍ଧଶତକ ପୂରଣ କରିବା ପରେ ହେଡ୍ ୧୦୬ ବଲ୍ରୁ ଶତକ ଲଗାଇଥିଲେ । ହେଡ୍ଙ୍କ କ୍ୟାରିଅରର ଏହା ପଞ୍ଚମ ଶତକ ଥିଲା । ଏହାଛଡ଼ା ସେ ଡବ୍ଲୁ୍ୟଟିସି ଫାଇନାଲ୍ରେ ଶତକ ଲଗାଇବାରେ ପ୍ରଥମ ବ୍ୟାଟର୍ ହୋଇପାରିଛନ୍ତି ।
୮୧ତମ ଓଭର୍ରେ ନୂଆ ବଲ୍ ନିଆଗଲା । ଏହାସତ୍ତ୍ୱେ ଦିନର ଖେଳ ଶେଷ ସୁଦ୍ଧା ଏହି ଯୋଡ଼ି ଭାଙ୍ଗିପାରି ନ ଥିଲେ ଭାରତୀୟ ବୋଲର୍ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୨୫୧ ରନ୍ର ଅପରାଜିତ ଭାଗୀଦାରୀ ହୋଇଥିଲା ।