ବିପୁଳ ବିଜୟରୁ ଭାରତର ଅଭିଯାନ

ମହିଳା କନିଷ୍ଠ ଏସିଆ କପ୍ ହକି
କାକାମୀଗହାରା (ଜାପାନ), ୩ା୬ (ଏଜେନ୍ସି): ଅନ୍ନୁଙ୍କ ଡବଲ୍ ହାଟ୍ରିକ୍ ବଳରେ ଭାରତ ମହିଳା କନିଷ୍ଠ ଏସିଆ କପ୍ରେ ଶନିବାର ଉଜ୍ବେକିସ୍ତାନକୁ ୨୨-୦ରେ ହରାଇ ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି । ଭାରତୀୟ ଟିମ୍ ଜୁନ୍ ୫ରେ ହେବାକୁ ଥିବା ନିଜ ଦ୍ୱିତୀୟ ପୁଲ୍ ମ୍ୟାଚ୍ରେ ମାଲେସିଆକୁ ଭେଟିବ । ଅନ୍ନୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଅନ୍ନୁ (୧୩ତମ, ୨୯ତମ, ୩୦ତମ, ୩୮ତମ, ୪୩ତମ, ୫୧ତମ ମିନିଟ୍) ଭାରତୀୟ ଟିମ୍ର ତାରକା ପ୍ରଦର୍ଶନକାରିଣୀ ଥିଲେ । ଏତଦ୍ଭିନ୍ନ ବୈଷ୍ଣବୀ ଭିଥଲ ଫାଲକେ (୩ୟ, ୫୬ତମ), ମମତାଜ ଖାନ୍ (୬ଷ୍ଠ, ୪୪ତମ, ୪୭ତମ, ୬୦ତମ), ସୁନେଲିତା ଟପ୍ପୋ (୧୭ତମ, ୧୭ତମ), ଦୀପିକା ସୋରେଙ୍ଗ (୧୮ତମ, ୨୫ତମ), ମଞ୍ଜୁ ଚୋରସିୟା (୨୬ତମ), ଦୀପିକା (୩୨ତମ, ୪୪ତମ, ୪୬ତମ, ୫୭ତମ) ଓ ନୀଲମ (୪୭ତମ) ଟିମ୍ ପକ୍ଷରୁ ସ୍କୋର୍ କରିଥିଲେ ।
ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ତୃତୀୟ ମିନିଟ୍ରେହିଁ ଅଗ୍ରଣୀ ହାସଲ କରିଥିଲା । ବୈଷ୍ଣବୀ (୩ୟ) ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ଏହାର ତିନି ମିନିଟ୍ ପରେ ଏକ ଫିଲ୍ଡ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ମମତାଜ । ୧୩ତମ ମିନିଟ୍ରେ ଅନ୍ନୁ ଆଉ ଏକ ଗୋଲ୍ କରି ପ୍ରଥମ କ୍ୱାର୍ଟର୍ ସୁଦ୍ଧା ଭାରତକୁ ୩-୦ରେ ଅଗ୍ରଣୀ କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଆଧିପତ୍ୟ ବଜାୟ ରହିଥିଲା । ୧୭ତମ ମିନିଟ୍ରେ ସୁନେଲିତା ଏବଂ ୧୮ତମ ଓ ୨୫ତମ ମିନିଟ୍ରେ ଦୀପିକା ସୋରେଙ୍ଗ ଦୁଇଟି ଲେଖାଏଁ ଗୋଲ୍ କରିଥିବା ବେଳେ ୨୬ତମ ମିନିଟ୍ରେ ମଞ୍ଜୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଶେଷ ଦୁଇ ମିନିଟ୍ରେ ଅନ୍ନୁ ଦୁଇଟି ଗୋଲ୍ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ଭାରତ ୧୦-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ବି ସ୍କ୍ରିପ୍ଟ ସମାନ ଥିଲା । ଦୀପିକା ୩୨ତମ ମିନିଟ୍ରେ ଏକ ପିସିକୁ ଗୋଲ୍ରେ ପରିଣତ କରିଥିବା ବେଳେ ଅନ୍ନୁ ୩୮ତମ ଓ ୪୩ତମ ମିନିଟ୍ରେ ଆଉ ଦୁଇଟି ଗୋଲ୍ ଦେଇ ଭାରତୀୟ ଟିମ୍କୁ ୧୩-୦ରେ ଆଗରେ ରଖିଥିଲେ । ତୃତୀୟ କ୍ୱାର୍ଟର୍ ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ଥିବା ବେଳେ ମମତାଜ ଓ ଦୀପିକା ଗୋଲ୍ କରି ସ୍କୋର୍ଲାଇନ୍କୁ ୧୫-୦ରେ ପହଞ୍ଚାଇଥିଲେ ।
ଶେଷ କ୍ୱାର୍ଟର୍ରେ ଭାରତ ଆଉ ସାତଟି ଗୋଲ୍ କରିଥିବା ବେଳେ ଉଜ୍ବେକିସ୍ତାନ ଖାତା ବି ଖୋଲିପାରି ନ ଥିଲା । ଏଥିରେ ମମତାଜ ଓ ଦୀପିକାଙ୍କ ଦୁଇଟି ଏବଂ ନୀଲମ, ଅନ୍ନୁ ଓ ବୈଷ୍ଣବୀଙ୍କ ଗୋଟିଏ ଲେଖାଏଁ ଗୋଲ୍ ଥିଲା ।
ଭାଗ ନେଉଛନ୍ତି ୧୦ ଟିମ୍ ଜୁନ୍ ୧୧ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଟିମ୍ ଅଂଶଗ୍ରହଣ କରିଛନ୍ତି । ଭାରତ ସହିତ ଅନ୍ୟ ଚାରି ଟିମ୍କୁ ନିଜ ବିଶ୍ୱ ମାନ୍ୟତା ଆଧାରରେ ଏହି ୨୧ ବର୍ଷରୁ କମ୍ ହକି ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ ମିଳିଛି, ଯେଉଁଥିରେ ଚୀନ୍, କୋରିଆ, ଜାପାନ ଓ ମାଲେସିଆ ଟିମ୍ ରହିଛି । ଅନ୍ୟ ପାଞ୍ଚ ଟିମ୍ – କାଜାଖସ୍ତାନ, ହଂକଂ, ଚାଇନୀଜ୍ ତାଇପେ, ଉଜ୍ବେକିସ୍ତାନ ଓ ଇଣ୍ଡୋନେସିଆ ଗତ ବର୍ଷ ଅକ୍ଟୋବରରେ କାଜାଖସ୍ତାନ ଠାରେ ଆୟୋଜିତ ମହିଳା କନିଷ୍ଠ କପ୍ ଜରିଆରେ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲେ ।
ଭାରତକୁ ପୁଲ୍-ଏ’ରେ ମାଲେସିଆ, ଚାଇନୀଜ୍ ତାଇପେ, ଦକ୍ଷିଣ କୋରିଆ ଓ ଉଜବେକିସ୍ତାନ ସହିତ ରଖାଯାଇଥିବା ବେଳେ ପୁଲ୍-ବି’ରେ ଜାପାନ, କାଜାଖସ୍ତାନ, ହଂକଂ, ଇଣ୍ଡୋନେସିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନ୍ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *