ରାମଲଲାଙ୍କ ପ୍ରାଣ  ପ୍ରତିଷ୍ଠା କରିବେ ମୋଦି

ଅଯୋଧ୍ୟା, ୧ା୬: ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରରେ ରାମ ଲଲାଙ୍କ ମୂର୍ତ୍ତି ଡିସେମ୍ବର ବା ଜାନୁଆରୀରେ ସ୍ଥାପିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି । ଏହି ଉପଲକ୍ଷେ ଦେଶସାରା ୭ଦିନ ବ୍ୟାପୀ ସବୁ ମନ୍ଦିରରେ ‘ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା’ ଉତ୍ସବ ପାଳନ କରାଯିବ । ଆଗାମୀ ମକର ସଂକ୍ରାନ୍ତି କିମ୍ବା ତା ପରଦିନ ଆରମ୍ଭ ହେବ ଉତ୍ସବ ।
ଟ୍ରଷ୍ଟର ମହାସଚିବ ଚମ୍ପତରାୟ ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ତାରିଖ ଏବେ ସ୍ଥିର ହୋଇନାହିଁ । ଜ୍ୟୋତିଷୀମାନଙ୍କ ସହ ଆଲୋଚନା ଜାରି ରହିଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍ କାମ ୮୫ ପ୍ରତିଶତ ସରିଛି । ଗ୍ରାଉଣ୍ଡ ଫ୍ଲୋର୍ ଓ ଗର୍ଭଗୃହ କାମ ଡିସେମ୍ବର ୧୫ ସୁଦ୍ଧା ସରିଯିବ । ତା’ପରେ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କୁ ଡିସେମ୍ବରରୁ ଜାନୁଆରୀ ୨୬ ଭିତରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମ୍ଭାବ୍ୟ ତାରିଖ ସମ୍ପର୍କରେ ଜଣାଇ ଦିଆଯିବ । ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରିବେ । ସେଥିରେ ସ୍ୱାକ୍ଷର କରିବେ ମହନ୍ତ ନୃତ୍ୟଗୋପାଳ ଦାସ ।
ଶ୍ରୀରାମ ମନ୍ଦିର ପାଇଁ ରାମଲଲାଙ୍କ ତିନିଟି ମୂର୍ତ୍ତିର ନିର୍ମାଣ ଆରମ୍ଭ ହୋଇଛି । ମଥାରେ ମୁକୁଟ, ହାତରେ ଧନୁଶର ଥିବା ରାମଲଲାଙ୍କ ମୂର୍ତ୍ତି ତିଆରି ଚାଲିଛି । ଏଥିପାଇଁ କର୍ଣ୍ଣାଟକରୁ ଆସିଥିବା ଦୁଇଟି ଶ୍ୟାମ ଶିଳା ଓ ରାଜସ୍ଥାନରୁ ଆସିଥିବା ଶ୍ୱେତ ମର୍ମରକୁ ଆକାର ଦିଆଯାଉଛି । ତେବେ ଏହି ତିନି ମୂର୍ତ୍ତି ଭିତରୁ କେଉଁ ମୂର୍ତ୍ତିକୁ ଗର୍ଭ ଗୃହ ପାଇଁ ଚୟନ କରାଯିବ ସ୍ଥିରୀକୃତ ହୋଇନାହିଁ । ମୂର୍ତ୍ତି ନିର୍ମାଣ ସାରିବାକୁ ୪ମାସ ଲାଗିବ । କର୍ଣ୍ଣାଟକର ଶିଳ୍ପକାର ଗଣେଶ ଏଲ୍ ଭଟ୍ଟ ଓ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେୟଙ୍କ ନେତୃତ୍ୱରେ ଏହି କାମ ଆଗେଇ ଚାଲିଛି । ଶ୍ରୀ ଭଟ୍ଟ କହିଛନ୍ତି ରବିବାର ପଥର ପୂଜା ପରେ କାମ ଆରମ୍ଭ ହୋଇଛି । ମୂର୍ତ୍ତିଗୁଡ଼ିକର ଉଚ୍ଚତା ୫୧ ଇଞ୍ଚ ହେବ । ସ୍ଥାପନ ପରେ ଉଚ୍ଚତା ୮ ଫୁଟ ହୋଇପାରେ । ପୁରୀର ପ୍ରସିଦ୍ଧ ପଥର ଶିଳ୍ପୀ ସୁଦର୍ଶନ ସାହୁ ଓ ଅରୁଣ ଯୋଗୀରାଜ ମୂର୍ତ୍ତି ନିର୍ମାଣରେ ମଗ୍ନ ଅଛନ୍ତି । ଦୁହିଁଙ୍କର ୪ଜଣ ଲେଖାଏଁ ସହଯୋଗୀ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *