କାଳବୈଶାଖୀର ତାଣ୍ଡବ
ଭୁବନେଶ୍ୱର,୨୫ା୫(ବୁ୍ୟରୋ): ଦିନରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ସାଧାରଣ ଜୀବନଯାତ୍ରା ଗୁରୁତରଭାବେ ପ୍ରଭାବିତ ହେଉଥିବାବେଳେ ଗୁରୁବାର ଅପରାହ୍ଣରେ କାଳବୈଶାଖୀର ତାଣ୍ଡବ ଅନେକ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କାଳବୈଶାଖୀର ତାଣ୍ଡବ ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦ୍ୱୈତନଗରୀ କଟକ-ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା । ସ୍ଥାନେ ସ୍ଥାନେ ବିଶେଷକରି ପୁରୀ ଓ ଭୁବନେଶ୍ୱରରେ ୮୦-୯୦ କିମି ବେଗରେ ପବନ ବହିଥିଲା । ଅନେକ ସ୍ଥାନରେ ଗଛ ପଡିଯିବା ସହ ଛପର ଘର ମଧ୍ୟ ଉଡିଯାଇଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଲଡୁଗୋଛି ନାମକ ଜଣେ ଶ୍ରମିକ କାମ ସାରି ଘରକୁ ଫେରୁଥିବାବେଳେ ତାଙ୍କ ଉପରେ ଗଛ ଡାଳ ପଡିଯିବାରୁ ସେ ପ୍ରାଣ ହରାଇଥିବା ଖବର ମିଳିଛି । ଭୁବନେଶ୍ୱର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪,୭୭୬ ଥର ବିଜୁଳି ମାରିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ର୍ରାପଡା, ଯାଜପୁର, ନୟାଗଡ, ମୟୁରଭଞ୍ଜ, କେନ୍ଦୁୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନ ସମୟରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । କାରଣ ତାପମାତ୍ରା ବଢିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୫ ରୁ ୮୫ ପ୍ରତିଶତ ରହିବ । ଏହା ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପାଣଇପାଗ ବିଭାଗ ପକ୍ଷରୁ କୁହାଯାଇଛି ।