ବିଧାୟକ ପଡାଲଙ୍କୁ ଅଣ୍ଡାମାଡ଼

ନିଜ ନିର୍ବାଚନମଣ୍ଡଳୀର ଲମତାପୁଟରେ ହଟହଟା
କୋରାପୁଟ, ୨୩ା୫ (ଆପ୍ର): କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ପିଛା ଛାଡୁନି ବିବାଦ । ନିଜ ନିର୍ବାଚନମଣ୍ଡଳୀର ଲମତାପୁଟ ବ୍ଲକ୍ରେ କେତେବେଳେ ନିର୍ବାଚନ ପ୍ରଚାର କରିବାକୁ ଯାଇ ଗାଁରୁ ତଡା ଖାଇଛନ୍ତି ତ ଆଉ କେତେବେଳେ ତାଙ୍କ ସଭା ମଞ୍ଚ ଉପରକୁ ପଥର ମାଡ଼ କରାଯାଇଛି । ଏଥର କିନ୍ତୁ ବିଧାୟକଙ୍କୁ ଅଣ୍ଡାମାଡ଼ କରି ସ୍ୱାଗତ କରିଛନ୍ତି ଲମତାପୁଟବାସୀ ।
ସୂଚନା ଅନୁସାରେ ଲମତାପୁଟ ବ୍ଲକ୍ରେ ନୂତନ ପଞ୍ଚାୟତ ସମିତି ଗୃହ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲା । ମୁଖ୍ୟଅତିଥି ଭାବେ ବିଧାୟକ ପଡାଲଙ୍କ ସମେତ ଜିଲ୍ଲାପାଳ, ବିଡିଓ ଓ ବ୍ଲକ୍ ଅଧ୍ୟକ୍ଷଙ୍କ ଯୋଗ ଦେବାର ଥିଲା । ନୂତନ ଗୃହ ଫଳକରେ ସାଂସଦ କି ଜିଲ୍ଲା ପରିଷଦଙ୍କ ନାମ ନ ଥିବା ଯୋଗୁ ଦୁଇ ଦିନ ତଳେ କଂଗ୍ରେସ କର୍ମୀ ବିଡିଓଙ୍କୁ ଦେଖା କରି ନାମ ଫଳକରେ ସାଂସଦଙ୍କ ସହିତ ଜିଲ୍ଲା ପରିଷଦଙ୍କ ନାମ ଲେଖିବା ପାଇଁ ଅନୁରୋଧ କରିଥିଲେ । ବିଡିଓ ଏହାକୁ ଅଣଦେଖା କରିବାରୁ ଉଦ୍ଘାଟନ ପୂର୍ବରୁ କଂଗ୍ରେସ କର୍ମୀ ଫଳକକୁ ଭାଙ୍ଗି ଦେଇଥିଲେ । ଫଳକ ଭାଙ୍ଗିବା ଅଭିଯୋଗରେ ଲମତାପୁଟ ପୁଲିସ କିଛି କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖିଥିଲା । ଫଳକ ଭାଙ୍ଗିବା ପରେ ନୂତନ ଫଳକ ଲଗାଯିବା ସହିତ କୋରାପୁଟ ବିଧାୟକ ରଘୁରାମ ପଡାଲ ଉଦ୍ଘାଟନ କରିବା ପାଇଁ ଆସୁଥିବାବେଳେ ବ୍ଲକ୍ ଗେଟ ନିକଟରେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା । ଲମତାପୁଟ ବ୍ଲକ୍ରେ ବାରମ୍ବାର ବିଧାୟକକୁ ବିରୋଧ କରାଯାଉଥିବାରୁ ଏବେ କୋରାପୁଟ ନିର୍ବାଚନ ମଣ୍ଡଳୀର ରାଜନୀତି ସରଗରମ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *