କର୍ଣ୍ଣାଟକ ନାଟକ ଘଣ୍ଟାକୁ ଘଣ୍ଟା ବଦଳୁଛି ଦୃଶ୍ୟ
ନୂଆଦିଲ୍ଲୀ, ୧୭ା୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ଏପର୍ଯ୍ୟନ୍ତ ସମର୍ଥ ହୋଇ ନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାର ସିଦ୍ଧରମୈୟା ଓ ଡି.କେ.ଶିବକୁମାରଙ୍କ ମଧ୍ୟରେ ୪ ଦିନ ଭିତରେ କୌଣସି ବୁଝାମଣା ହୋଇ ନ ପାରିବାରୁ ଏଭଳି ଝୁଲା ସ୍ଥିତି ଉପୁଜିଛି । ପ୍ରଥମେ ଖବର ଆସିଥିଲା ଯେ, ଶିବ କୁମାର ଉପମୁଖ୍ୟମନ୍ତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏବଂ ଦୁଇଟି ମନ୍ତ୍ରଣାଳୟ ଦାୟିତ୍ୱ ନେବା ପ୍ରସ୍ତାବରେ ରାଜି ହୋଇଛନ୍ତି । ବୁଧବାର ଅପରାହ୍ଣରେ ଖବର ଆସିଛି ଯେ, ସେ କୌଣସି ପ୍ରସ୍ତାବରେ ରାଜି ନୁହନ୍ତି । ଘଣ୍ଟାକୁ ଘଣ୍ଟା ସ୍କି୍ରପ୍ଟ ବଦଳୁଛି । ଶିବକୁମାର ହାଇକମାଣ୍ଡଙ୍କୁ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦରେ ରହିଲେ ଲୋକସଭାର ୨୦-୨୨ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇପାରିବେ । ଜଣେ ଅଢ଼େଇ ବର୍ଷ ଆଉ ଜଣେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବା ଫର୍ମୁଲା ମଧ୍ୟ ଫେଲ୍ ମାରିଛି । ଶିବ କୁମାର ଏଥିରେ ରାଜି ନୁହନ୍ତି । ଶିବକୁମାର ଏକଥା ମଧ୍ୟ କହିଛନ୍ତି, ଯଦି ଦଳର ଅଧ୍ୟକ୍ଷ ଶ୍ରୀ ଖଡ଼ଗେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ତାଙ୍କ ନେତୃତ୍ୱରେ ସେ କାମ କରିବାକୁ ପ୍ରସ୍ତୁତ । ଏହିସବୁ କାରଣରୁ ଶପଥ ସମାରୋହ ଦିବସକୁ ଘୁଞ୍ଚାଇ ଦିଆଯାଇଛି । ଶପଥ ସମାରୋହ ୧୮ ତାରିଖ ଦିନ ହେବାର ଥିଲା । କଂଗ୍ରେସ ଏହାକୁ ଏକ ଗ୍ରାଣ୍ଡ ଇଭେଣ୍ଟ କରିବାକୁ ଚାହୁଁଛି । ଗାନ୍ଧି ପରିବାର ସମେତ ଦେଶର ସବୁ ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ୧୯ରେ ଅମାବାସ୍ୟା ପଡ଼ୁଥିବାରୁ ସେଦିନ ସମାରୋହ ହୋଇପାରିବ ନାହିଁ । ଯେତେଦୂର ସମ୍ଭବ ୨୦ ତାରିଖ ଦିନ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରଣାଳୟ ଅଫର୍ ଦିଆଯାଇଛି । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପଦରୁ କମ୍ରେ ରାଜି ନୁହନ୍ତି । ସକାଳେ ସିଦ୍ଧରମୈୟାଙ୍କ ନାମରେ ମୋହର ଲାଗିଥିଲା । ସନ୍ଧ୍ୟାରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିବାରୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରି ନାହିଁ । ଫଇସଲା ହେବା ପର୍ଯ୍ୟନ୍ତ ଶିବ କୁମାର ଦିଲ୍ଲୀରେ ଡେରା ପକାଇ ରହିବେ ବୋଲି ଘୋଷଣା କରିଛନ୍ତି । ଏବେ ଶିବ କୁମାର ଦିଲ୍ଲୀରେ ତାଙ୍କ ଭାଇ ଓ ଦଳୀୟ ସାଂସଦ ଡି କେ ସୁରେଶଙ୍କ ଘରେ ରହୁଛନ୍ତି । ସୋନିଆ ଓ ରାହୁଲ ଗାନ୍ଧି ଶିବକୁମାରଙ୍କୁ ମନେଇ ପାରିନାହାନ୍ତି । ଏବେ ସେ ଦାୟିତ୍ୱ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦିଆଯାଇଛି । ଅପରପକ୍ଷେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ଗାନ୍ଧୀ ପରିବାର ଫଇସଲା କରିବେ ନାହିଁ ।
ଅଡ଼ୁଆ ତୁଟୁ ନ ଥିବାରୁ ବେଙ୍ଗାଲୁରୁରେ ଶପଥ ଗ୍ରହଣ ସମାରୋହ କାମକୁ ରୋକି ଦିଆଯାଇଛି । ସହରର ଶ୍ରୀକାନ୍ତିରୱା ଆଉଟ୍ଡୋର୍ ଷ୍ଟାଡିୟମ୍ରେ ସାଜସଜା ଚାଲିଥିଲା । ପୁଲିସ ଷ୍ଟାଡିୟମ୍ ଅନୁଧ୍ୟାନ କରିଥିଲା । ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରୂପେ ସିଦ୍ଧରମୈୟାଙ୍କ ନାମ ଘୋଷଣାରେ ଡେରି ହେଲେ ତାଙ୍କ ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀ ଯାଇପାରନ୍ତି । ଇତିମଧ୍ୟରେ କର୍ଣ୍ଣାଟକ ପାଇଁ ନିଯୁକ୍ତ କଂଗ୍ରେସ ପ୍ରଭାରୀ ରଣଦୀପ ସୁରେଜୱାଲା ସାମ୍ବାଦିକମାନଙ୍କୁ କହିଛନ୍ତି, ବୁଧବାର ବା ଗୁରୁବାର ଯେକୌଣସି ମତେ ମୁଖ୍ୟମନ୍ତ୍ରୀ ପଦ ନେଇ ଫଇସଲା ହୋଇଯିବ । ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ କ୍ୟାବିନେଟ୍ର ପ୍ରଥମ ବୈଠକ ବସିବ । ଅଧ୍ୟକ୍ଷ ଖଡ଼ଗେ ହେିଁ ମୁଖ୍ୟମନ୍ତ୍ରୀ କିଏ ହେବେ ପଦକ୍ଷେପ ନେବେ ।