୨୯ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!

ଭୁବନେଶ୍ୱର,୧୫ା୫ (ତଥ୍ୟ): ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସହିତ ବିଭାଗ ଅଦଳ ବଦଳ ଘେନି ଦଳୀୟ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଯାହା ବି ହେବ ତାହା ଏପ୍ରିଲ୍‌ ୨୯ ପରେ ବୋଲି ଆଶାୟୀମାନେ ଅନୁମାନ କରୁଛନ୍ତି ।
ମନ୍ତ୍ରିମଣ୍ଡଳର ଗତ ସମ୍ପ୍ରସାରଣ ପୂର୍ବରୁ ଦଳୀୟ କାର୍ଯ୍ୟ କରିବାପାଇଁ ଚାରିଜଣ ମନ୍ତ୍ରୀ ସର୍ବଶ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ର ଓ ପଦ୍ମିନୀ ଦିଆନ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେହିଭଳି ସେତେବେଳର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ଶ୍ରୀ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ଭାବେ ଅଧିଷ୍ଠିତ ହୋଇଥିଲେ । ଖୁବ୍‌ କମ୍‌ ଦିନ ମଧ୍ୟରେ ଏବେ ପୁଣି ଶ୍ରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ କିଏ ବାଚସ୍ପତି ହେବେ ସେଥିଘେନି ଅନେକ ଦାବିଦାରଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିଜେଡି ବିଧାୟକଦଳ ନେତା ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ପସନ୍ଦ କରିବେ ସିଏ ବାଚସ୍ପତି ହେବେ ।
ଜାନୁୟାରୀ ମାସରେ ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳି ଚୋଟରେ ନିହତ ହେବାପରେ ସେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗକୁ ଅର୍ଥମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରଖାଯାଇଛି । ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବାପରେ ସେମାନଙ୍କ ବିଭାଗ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ହାତରେ ରଖାଯାଇଛି ।
ମୋଟାମୋଟି ଭାବେ ଏବେ ବାଚସ୍ପତି ପଦବୀ ସମେତ ତିନିଟି ମନ୍ତ୍ରୀ ପଦବୀ ଖାଲି ରହିଛି । ୨୦୨୪ର ପ୍ରଥମାର୍ଦ୍ଧରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହୋଇପାରେ । ଏହି ଦୃଷ୍ଟିରୁ କିଏ ବାଚସ୍ପତି ହେବେ, କିଏ ନୂଆ ମନ୍ତ୍ରୀ ହେବେ ଏବଂ କେଉଁ ମନ୍ତ୍ରୀମାନଙ୍କ ବିଭାଗଅଦଳ ବଦଳ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଭାବି ଚିନ୍ତି ନିଷ୍ପତ୍ତି ନେବେ । ଆଗରେ ନିର୍ବାଚନ ଥିବାରୁ ଆଉ କିଛି ମନ୍ତ୍ରୀଙ୍କ ମଧ୍ୟ ସରକାର ପରିବର୍ତ୍ତେ ସଂଗଠନ କାର୍ଯ୍ୟରେ ନିୟୋଜନ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବନାହିଁ ।
ଚଳିତ ମାସ ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ଅଛି । ଏବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ବାହାରେ ଅଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟକାଳ ମଧ୍ୟ ଖୁବ୍‌ କମ୍‌ଦିନ ରହିଛି । ଏ ପରିପ୍ରେକ୍ଷୀରେ ସମ୍ଭବତଃ ଜୁନ୍‌ ପ୍ରଥମ ସପ୍ତାହରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଓ ବିଭାଗ ଅଦଳ ବଦଳ ହୋଇପାରେ ବୋଲି ଆଶାୟୀମାନେ କହୁଛନ୍ତି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ।
ବାଚସ୍ପତି ପଦବୀ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କରାଯିବା କଥା । ବାଚସ୍ପତି ଇସ୍ତଫା ଦେଇଥିବାରୁ ଏବେ ଉପବାଚସ୍ପତି ରଜନୀକାନ୍ତ ସିଂହ ଦାୟିତ୍ୱରେ ଅଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ କିମ୍ବା ଆଗାମୀ ଅଧିବେଶନ କାଳରେ ନୂଆ ବାଚସ୍ପତି ନିର୍ବାଚିତ ହେବେ ସେ ସଂକ୍ରାନ୍ତରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ଏଯାବତ୍‌ ମିଳିନାହିଁ । ତେବେ ଆଶାୟୀମାନଙ୍କର ପ୍ରଥମ ପସନ୍ଦ ମନ୍ତ୍ରୀ ପଦ ଥିବା କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *