ରଣକ୍ଷେତ୍ର ଶୂନ୍ଶାନ୍
ଭୁବନେଶ୍ୱର,୮ା୫(ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନ ଲାଗି ପ୍ରଚାରର ସୋମବାର ଶେଷ ଦିନ ଥିଲା । ସନ୍ଧ୍ୟା ପରଠାରୁ ବାହାର ନେତାମାନେ ନିର୍ବାଚନମଣ୍ଡଳୀ ଛାଡିଛନ୍ତି । ହାତରେ ବହୁତ କମ୍ ସମୟ ଥିବାରୁ ସୋମବାର ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ଲାଗି କ୍ୟାମ୍ପେନିଂକୁ ଜୋରଦାର କରିଥିବା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡା ସହରର ୩ ନମ୍ବର ଏବଂ ୧୯ ନମ୍ବର ୱାର୍ଡରେ ଦଳୀୟ କର୍ମୀଙ୍କ ସହ ପ୍ରଚାର କରିଥିଲେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସମର୍ଥକଙ୍କ ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରିଥିଲେ । କଂଗ୍ରେସ ମଧ୍ୟ ବିରାଟ ପଦଯାତ୍ରା କରି ଲୋକଙ୍କ ସମର୍ଥନ ଲୋଡିଥିଲା । ସ୍ଥାନୀୟ ମନମୋହନ ସ୍କୁଲ ଛକ ଠାରୁ ପଦଯାତ୍ରା ବାହାରି ଝାରସୁଗୁଡା ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପରିକ୍ରମା କରିଥିଲା । ଏହି ପଦଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସାମିଲ ଥିଲେ । ସୋମବାର ସନ୍ଧ୍ୟା ୬ଟା ପରେ ପ୍ରଚାର ବନ୍ଦ ହୋଇଥିବା ବେଳେ ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୨୫୩ଟି ବୁଥରେ ଭୋଟ ଗ୍ରହଣ କରାଯିବ । ଏଥିନିମନ୍ତେ ୧୦୧୨ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମବାର ଠାରୁ ଅଧିକାଂଶ ପୋଲିଂ ପାର୍ଟି ବୁଥମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବା ପାଇଁ ଅପିଲ କରିଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ଆସନ୍ତା ୧୦ ତାରିଖ ଦିନ ବହୁ ସଂଖ୍ୟାରେ ଆସି ଭୋଟ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କିଶୋର ଧଳ ସମସ୍ତ ମତଦାତାଙ୍କୁ ଅପିଲ କରିଛନ୍ତି ।
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିଇଓ ଶ୍ରୀ ଧଳ କହିଛନ୍ତି ଯେ ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ଟି ପିଙ୍କ୍ ବୁଥ୍ ରହିଛି । ଏହିସବୁ ବୁଥରେ ମହିଳା କର୍ମଚାରୀମାନେ ଦାୟିତ୍ୱରେ ରହିବେ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ୍ ବୁଥ୍ର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ୍ ବୁଥରୁ ୨୦ ଟି ଝାରସୁଗୁଡ଼ା ମୁ୍ୟନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି । ୧୦୦ ପ୍ରତିଶତ ବୁଥରେ ୱେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଛି । ୯୯ଟି ବୁଥରେ ମାଇକ୍ରୋ ଅବ୍ଜର୍ଭର ରଖାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସିଇଓ ଶ୍ରୀ ଧଳ ସୂଚନା ଦେଇଛନ୍ତି ।
ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ମେ ୧୦ ତାରିଖ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ର୍ନିବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ମୁଖ୍ୟ ର୍ନିବାଚନ ଅଧିକାରୀ ଅନୁରୋଧ କରିଛନ୍ତି ।