କୋଲକାତାକୁ ୧୮ଠ ରନ୍ର ବିଜୟ ଲକ୍ଷ୍ୟ
କୋଲକାତା, ୮ା୫ (ଏଜେନ୍ସି): ପଞ୍ଜାବ କିଙ୍ଗ୍ସ୍ ଆଇପିଏଲ୍-୧୬ର ୫୩ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟ ପାଇଁ ୧୮୦ ରନ୍ର ଟାର୍ଗେଟ୍ ଦେଇଛି । କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୭୯ ରନ୍ ସ୍କୋର୍ କରିଥିବାବେଳେ ଏହାର ଜବାବ୍ରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୋଲକାତା ୮ ଓଭର୍ରେ ଦୁଇ ୱିକେଟ୍ ହରାଇ ୬୭ ରନ୍ ସଂଗ୍ରହ କରିଥିଲା ଏବଂ ଅଧିନାୟକ ନୀତିଶ ରାଣାଙ୍କ ସହ ଭେଙ୍କେଟେଶ ଅୟର୍ କି୍ରଜ୍ରେ ଉପସ୍ଥିତ ଥିଲେ ।
ଜେସନ୍ ରାୟଙ୍କ ସହ ରହମନୁଲ୍ଲା ଗୁରବାଜ୍ ଓପନିଂ କରିଥିବାବେଳେ ୪ ଓଭର୍ ସୁଦ୍ଧା ଦଳର ସ୍କୋର୍ ଥିଲା ୩୬ । ତେବେ ୩୮ ରନ୍ ସ୍କୋର୍ରେ ଦଳର ପ୍ରଥମ ୱିକେଟ୍ ପତନ ହୋଇଥିବାବେଳେ ରହମନୁଲ୍ଲାହ ୧୨ ବଲ୍ରେ ୧୫ ରନ୍ କରି ଆଉଟ୍ ହୋଇଗଲେ । ନାଥନ ଏଲିସ୍ ତାଙ୍କୁ ୱିକେଟ୍ ନେଇଥିଲେ । ପରେ ପରେ ଜେସନ୍ ରାୟ ୨୪ ବଲ୍ରେ ୩୮ ରନ୍ କରି ଆଉଟ୍ ହୋଇଗଲେ । ହରପ୍ରୀତ୍ ବରାଡ୍ ତାଙ୍କୁ ଶାହରୁଖ୍ଙ୍କ ହାତରେ କ୍ୟାଚ୍ କରାଯାଇଥିଲେ ।
ଏହା ପୂର୍ବରୁ ବ୍ୟାଟିଂକୁ ଓହ୍ଲାଇଥିବା ପଞ୍ଜାବ ପାୱାରପ୍ଲେ’ରେ ୩ ୱିକେଟ୍ ହରାଇ ଦେଇଥିଲା । ଓପନର୍ ପ୍ରଭସିମରନ୍ ୧୨ ଓ ଭାନୁକା ରାଜପକ୍ଷେ ୦, ଲିୟମ୍ ଲିବିଙ୍ଗଷ୍ଟୋନ୍ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାଦ୍ୱାରା ବିପକ୍ଷ ଦଳର ହର୍ଷିତ ରାଣାଙ୍କୁ ୨ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ୧୦ ଓଭର୍ ସୁଦ୍ଧା ପଞ୍ଜାବର ସ୍କୋର୍ ୮୨ ରନ୍ ଥିଲା । ଶିଖର ଧୱନ ଓ ଜିତେଶ ଶର୍ମାଙ୍କ ମଧ୍ୟରେ ୩୮ ବଲ୍ରେ ଅର୍ଦ୍ଧଶତକୀୟ ଯୋଡ଼ି ରହିଥିଲା ।
ତେବେ ୧୦୬ ରନ୍ର ସ୍କୋର୍ରେ ପଞ୍ଜାବର ଚତୁର୍ଥ ୱିକେଟ୍ ପତନ ହୋଇଥିଲା । ଜିତେଶ ଶର୍ମା ୧୮ ବଲ୍ରେ ୨୧ ରନ୍ କରି ଆଉଟ୍ ହୋଇଥିବାବେଳେ ୨ଟି ଛକା ମାରିଛନ୍ତି । ମାତ୍ର ୧୧୯ ରନ୍ ସ୍କୋର୍ ସହ ପଞ୍ଜାବର ଅଧା ଖେଳାଳି ପାଭିଲିଅନ୍ ଫେରିଯାଇଥିଲେ । ଶିଖର ଧୱନ ଦଳ ପକ୍ଷରୁ ୫ମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ନୀତିଶ ରାଣା ତାଙ୍କୁ ବୈଭବ ଅରୋଡ଼ାଙ୍କ ହାତରେ କ୍ୟାଚ୍ ଆଉଟ୍ କରିଥିବାବେଳେ ସେ ୪୭ ବଲ୍ରେ ୫୭ ରନ୍ କରିଛନ୍ତି ।
୧୩୯ ରନ୍ର ସ୍କୋର୍ ସହ ପଞ୍ଜାବର ଷଷ୍ଠ ୱିକେଟ୍ ପଡ଼ିଥିଲା । ଋଷି ଧୱନ ୧୧ ବଲ୍ରେ ୧୯ ରନ୍ କରି ଆଉଟ୍ ହୋଇଗଲେ । ବରୁଣ ଚକ୍ରବର୍ତ୍ତୀ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିବାବେଳେ ୧୭ ଓଭର୍ ସୁଦ୍ଧା ପଞ୍ଜାବର ସ୍କୋର୍ ଥିଲା ୧୩୯ । ଏହି ସମୟରେ ହିଁ ଦଳର ସପ୍ତମ ୱିକେଟ୍ ପଡ଼ିଥିଲା । ସ୍ୟାମ୍ କରନ ୯ ବଲ୍ରେ ୪ ରନ୍ କରି ଆଉଟ୍ ହୋଇଗଲେ । ୨୦ ଓଭର୍ ଶେଷ ବେଳକୁ ଶାହରୁଖ୍ ଖାନ୍ ଓ ହରପ୍ରୀତ୍ ବରାଡ଼ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ୧୭୯ ରନ୍ର ସ୍କୋର୍ ଦେଇଥିଲେ । ବିପକ୍ଷ ଦଳର ବରୁଣ ଚକ୍ରବର୍ତ୍ତୀ ସବୁଠୁ ଅଧିକ ୩ଟି ୱିକେଟ୍ ନେଇଛନ୍ତି । ହର୍ଷିତ ରାଣା ଦୁଇଟି ଓ ସୁୟଶ ଶର୍ମା ଏବଂ ନିତିଶ ରାଣା ଗୋଟିଏ ଲେଖାଏଁ ୱିକେଟ୍ ହାତେଇଛନ୍ତି ।