ସରିଲା ପ୍ରଚାର, ୧ଠରେ ଭୋଟ୍

ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମିତ୍ତ ପ୍ରଚାର ସୋମବାର ଅପରାହ୍ଣ ୫ଟାରେ ଶେଷ ହୋଇଛି । ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୧୦ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଶେଷ ଦିନରେ ବିଜେପି, କଂଗ୍ରେସ, ଜେଡିଏସ୍ ପ୍ରମୁଖ ଦଳର ନେତାମାନେ ପ୍ରଚାର କରିଛନ୍ତି । ରାଜ୍ୟରେ ବିଗତ ୩୮ ବର୍ଷ ହେଲା ରହିଥିବା ଶାସନ ପରିବର୍ତ୍ତନ ପରମ୍ପରାକୁ ବଦଳାଇ ପୁନର୍ବାର କ୍ଷମତା ଅକ୍ତିଆର ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ମେଗା ରୋଡ୍ ଶୋ’ କରି ମତଦାତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି । ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖ ପ୍ରଚାର କରିଛନ୍ତି ।
ବିଜେପିଠାରୁ କ୍ଷମତା ଛଡ଼ାଇ ଆଣିବା ଲକ୍ଷ୍ୟରେ କଂଗ୍ରେସ ପକ୍ଷରୁ ଯତପରନାସ୍ତି ଉଦ୍ୟମ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ବରିଷ୍ଠ ନେତା ସିଦ୍ଦରମୈୟା, ଡିକେ ଶିବକୁମାର ପ୍ରମୁଖ ପ୍ରଚାର କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡାଙ୍କ ଜନତାଦଳ(ଏସ୍) ମଧ୍ୟ ପ୍ରଚାରରେ ପଛରେ ପଡ଼ିନାହିଁ । ଦେବେଗୌଡ଼ା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ପ୍ରମୁଖ ଦଳ ପାଇଁ ପ୍ରଚାର କରିଛନ୍ତି । ସବୁ ଦଳ ପ୍ର·ର ବେଳେ ଏକକ ସଂଖ୍ୟା ଗରିଷ୍ଠ ସରକାର ଗଠନର ସ୍ଲୋଗାନ ଦେବା ସହିତ ସ୍ଥିର ସରକାର ଗଠନ ନିମିତ୍ତ ଅଧିକ ସଂଖ୍ୟକ ଆସନ ଜିତିବା ଉପରେ ଲକ୍ଷ୍ୟ ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *