ଜାତିସଂଘ ମୁଖ୍ୟାଳୟରେ ହେବ ସିଧା ପ୍ରସାରଣ
‘ମନ୍ କୀ ବାତ୍’ର ସେଞ୍ଚୁରୀ
ନୂଆଦିଲ୍ଲୀ, ୨୯ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର ୧୦୦ତମ ଏପିସୋଡ୍ ରବିବାର (ଏପ୍ରିଲ ୩୦) ପ୍ରସାରିତ ହେବ । ଏହି ଏପିସୋଡ୍କୁ ଐତିହାସିକ କରାଇବା ପାଇଁ ବିଜେପି ପକ୍ଷରୁ ବିଶେଷ ଆୟୋଜନ ହୋଇଛି । ଦେଶର ୪ ଲକ୍ଷ କେନ୍ଦ୍ରରୁ ମନ୍ କୀ ବାତ୍ର ୧୦୦ତମ ଏପିସୋଡ୍ର ଲାଇଭ୍ ପ୍ରସାରଣ ହେବ । ଏହାଛଡା ବିଭିନ୍ନ ଦେଶରେ ଏହି କାର୍ଯ୍ୟକ୍ରମ ଦେଖିହେବ । ସବୁଠାରୁ ଗର୍ବର ବିଷୟ, ଏହି କାର୍ଯ୍ୟକ୍ରମର ପ୍ରସାରଣ ଜାତିସଂଘର ନୁ୍ୟୟର୍କସ୍ଥିତ ମୁଖ୍ୟାଳୟର ଟ୍ରଷ୍ଟି କାଉନ୍ସିଲ୍ ଚାମ୍ବରରେ ମଧ୍ୟ କରାଯିବ । ୧୦୦ତମ ମନ୍ କୀ ବାତ୍ର ସିଧା ପ୍ରସାରଣ ଏପିସୋଡ୍ ରବିବାର ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହେବ । ଆକାଶବାଣୀ ଓ ଦୂରଦର୍ଶନ ନେଟୱର୍କ ୩୦ ମିନିଟ୍ର ଏହି କାର୍ଯ୍ୟକ୍ରମର ପ୍ରସାରଣ କରିଆସୁଛନ୍ତି । ଗତ ୨୬ ତାରିଖ ଦିନ ପ୍ରସାରଭାରତୀ ପକ୍ଷରୁ ଏକ କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା । ସେଥିରେ ଗୃହମନ୍ତ୍ରୀ ଅମିତ ଶାହା ଏକ ସ୍ମାରକ ମୁଦ୍ରା ଓ ଡାକ ଟିକେଟ୍ ଜାରି କରିଥିଲେ । ଉଲ୍ଲେଖଯୋଗ୍ୟ, ମନ୍ କୀ ବାତ୍ର ପ୍ରଥମ ଏପିସୋଡ୍ ୨୦୧୪ ଅକ୍ଟୋବର ୩ ତାରିଖ ଦିନ ପ୍ରସାରିତ ହୋଇଥିଲା । ୨୨ଟି ଭାରତୀୟ ଭାଷା ଓ ୨୯ ଉପଭାଷା ସହିତ ୧୧ ବିଦେଶୀ ଭାଷାରେ ମନ୍ କୀ ବାତ୍ର ବ୍ରଡ୍କାଷ୍ଟ କରାଯାଉଛି ।
ଶନିବାର ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘ମନ୍ କି ବାତ୍’ ୧୦୦କୋଟିରୁ ଊଦ୍ଧ୍ୱର୍ ଲୋକ ଶୁଣି ସାରିଲେଣି । ଦେଶର ୨୬କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ ୫୬ ପ୍ରତିଶତ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରବିବାର ଏହା ବିଶ୍ୱ ରେକର୍ଡ କରିବ । ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ, ତ୍ୟାଗ, ବଳିଦାନ ପାଇଁ ଖୋରାକ ଯୋଗାଇଛିି । ଦଳିିତ, ନିଷ୍ପେସିତ, ନିର୍ଯ୍ୟାତିତ ଲୋକଙ୍କୁ ସାମ୍ନାକୁ ଆଣିବା ସହ ନାରୀଶକ୍ତି ମନରେ ଆତ୍ମବିଶ୍ୱାସ ତିଆରି ହୋଇଛି । ସାରା ଦେଶ ଆଜି ଟେକନୋଲୋଜି ପଛରେ ଦୌଡୁଥିବାବେଳେ ରେଡିଓ ମାଧ୍ୟମରେ ମନ କି ବାତ୍ ୧୦୦ତମ ସଂସ୍କରଣରେ ପଂହଚିବା ଏକ ଐତିହାସିକ ବିଷୟ । ଏହି “ମନ କି ବାତ୍’ରେ କୌଣସି ରାଜନୈତିକ ଉଦେ୍ଦଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ଏହାକୁ ଶୁଣିବାକୁ ଶ୍ରୀ ସାମଲ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।