ଭାରତ ରତ୍ନ: ଓଡିÿଶାରୁ କେହି ନାହାନ୍ତି

ଭୁବନେଶ୍ୱର,୨୪ା୪(ତଥ୍ୟ): କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ପ୍ରଚଳନ କରିବା ଠାରୁ ଏଯାବତ୍‌ ଓଡିଶାର କାହାକୁ ଏହା ପ୍ରଦାନ କରାଯାଇ ନାହିଁ । ବିଧାନସଭା ଭିତରେ ଓ ବାହାରେ ଏ ସଂକ୍ରାନ୍ତରେ ବାରମ୍ବାର ଆଲୋଚନା ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ଭାରତ ରତ୍ନ ତାଲିକାରେ କୌଣସି ଓଡିଆ ସ୍ଥାନ ପାଇନାହାନ୍ତି ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଅନ୍ୟତମ ବିନ୍ଧାଣି ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମବାର୍ଷିକୀ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଭିନ୍ନ ମହଲରୁ ମଧୁବାବୁଙ୍କୁ ଭାରତ ରତ୍ନ ଦେବାପାଇଁ ଦାବି ଉଠୁଛି । ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ପ୍ରଦେଶ ଗଠିତ ହେବା ପୂର୍ବରୁ ମଧୁବାବୁଙ୍କର ୧୯୩୪ ମସିହାରେ ଦେହାନ୍ତ ହୋଇଥିଲା ।
ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବର୍ଷ ବର୍ଷ ଧରି ଦାବି ଉଠିଥିଲେ ବି ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରର କେହି ପାଟି ଖୋଲି ନାହାନ୍ତି । ଓଡିଶାରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି ଉଠି ଆସୁଥିବା ଦାବି ଏବେ ବି ଦାବିରେ ସୀମିତ ରହିଛି ।
ଓଡିଆ ଭାଷା ସାହିତ୍ୟର ଅନ୍ୟତମ ସେନାପତି ବ୍ୟାସକବି ଫକୀର ମୋହନଙ୍କୁ ଭାରତ ରତ୍ନ ଦେବାଲାଗି ବିଭିନ୍ନ ସମୟରେ ବି ଦାବି ଉଠିଛି । ୧୯୧୮ମସିହାରେ ଫକୀର ମୋହନ ସେନାପତିଙ୍କ ଦେହାନ୍ତ ହୋଇଥିଲା । ଫକୀର ମୋହନଙ୍କ ଛଡା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡିଆ ଡାକ୍ତରାଣୀ ତଥା ଉକ୍ରଳ ଭାରତୀ ନାରୀ କବି କୁନ୍ତଳା କୁମାରୀ ସାବତ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ ଆଦିଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି ବିଭିନ୍ନ ମହିଳା ସଂଗଠନ ଓ ଗଣ ସଂଗଠନ ମଧ୍ୟ ବାରମ୍ବାର ଦାବି ଉଠାଇ ଆସୁଛନ୍ତି ।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବକୃଷ୍ଣ ଚୌଧୁରୀ ଓ ବିଜୁ ପଟ୍ଟନାୟକଙ୍କ ନାମ ବି ଭାରତ ରତ୍ନ ପାଇଁ ଓଡିଶାରୁ ବାରମ୍ବାର ଉଠୁଛି । ଅଥଚ ଏଯାବତ୍‌ ଏ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ସେହିଭଳି ଡକ୍ଟର ମାୟାଧର ମାନସିଂହ, ସଚ୍ଚି ରାଉତରାୟ, ରାଧାମୋହନ ଗଡନାୟକ, ବୀରକିଶୋର ଦାସ, ବାଞ୍ଝାନିଧି ମହାନ୍ତି, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପୀନାଥ ମହାନ୍ତିଙ୍କ ଲବ୍ଧ ପ୍ରତିଷ୍ଠ ଦିବଙ୍ଗତ ସାହିତ୍ୟ ସାଧକମାନଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ମହଲରୁ ବି ଦାବି ଉଠି ଆସୁଛି ।
ବିଭିନ୍ନ ରାଜ୍ୟର ବହୁ ରାଜନେତାଙ୍କ ସମେତ ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଅନେକ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିବାବେଳେ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ଭିତରେ ଓଡିଶାର କୌଣସି ବରପୁତ୍ର ବା ପୁତ୍ରୀଙ୍କୁ ଭାରତ ରତ୍ନ ତାଲିକାରେ ସ୍ଥାନ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭା ଗଠନର ପ୍ରାୟ ସାତ ଦଶନ୍ଧି ପରେ ଓଡିଶାର ସ୍ୱନାମଧନ୍ୟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ପ୍ରଥମ ଓଡିଆ ଭାବେ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଥିଲା । ତେବେ ତାଙ୍କର ଅକାଳ ମୃତୁ୍ୟ ଘଟିବାପରେ ଓଡିଶାରେ ଠିକଣା ଥିବା ଅନ୍ୟ କୌଣସି ଓଡିଆଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇ ନାହିଁ । ତୁରନ୍ତ ଯୋଗ୍ୟ ଓଡିଆଙ୍କୁ ମରଣୋତ୍ତର ବା ଜୀବିତ ଅବସ୍ଥାରେ ଭାରତ ରତ୍ନ ସମ୍ମାନରେ ଭୂଷିତ କରିବା ସହ ଆଉ ଅନୂ୍ୟନ ଦୁଇ ତିନିଜଣ ଓଡିଆଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିବାଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *