ହାଇଦରାବାଦକୁ ହରାଇଲା ଦିଲ୍ଲୀ

ଆଇପିଏଲ୍-୧୬
ହାଇଦରାବାଦ, ୨୪ା୪ (ଏଜେନ୍ସି): ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଚଳିତ ଆଇପିଏଲ୍ର ୩୪ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୭ ରନ୍ରେ ପରାସ୍ତ କରିଛି । ଦିଲ୍ଲୀର ଏହା ୭ମ ମ୍ୟାଚ୍ରୁ ୨ୟ ବିଜୟ । ଅନ୍ୟପଟେ ହାଇଦରାବାଦର ଏହା ୭ମ ମ୍ୟାଚ୍ରୁ ୫ମ ପରାଜୟ ।
୧୪୫ ରନ୍ର ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ଓଭରରେ ୬ ୱିକେଟ୍ ହରାଇ ୧୩୭ ରନ୍ କରିବାକୁ ସମର୍ଥ ହୋଇଥିଲା । ୱାଶିଂଟନ୍ ସୁନ୍ଦର ୨୪ ଓ ମାର୍କୋ ଜାନ୍ସେନ୍ ୨ ରନ୍ କରି ଅପରାଜିତ ଥିଲେ ।
ଟିମ୍ର ଓପନିଂ ଯୋଡ଼ି ୩୧ ରନ୍ରେ ଭାଙ୍ଗିଥିଲା । ହାରୀ ବ୍ରୁକ୍ ୭ ରନ୍ କରି ଆନ୍ରିଚ୍ ନୋର୍ତଜେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର୍ ମୟଙ୍କ ଅଗ୍ରୱାଲ୍ ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୩୮ ରନ୍ ଯୋଗ କରିଥିଲେ । ମୟଙ୍କ (୩୯ ବଲ୍ରୁ ୪୯ ରନ୍)ଙ୍କୁ ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଅକ୍ଷର ପଟେଲ୍ । ରାହୁଲ (୧୫) ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ ।
ଏହା ପୂର୍ବରୁ ଦିଲ୍ଲୀ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ୍ ୩୪ ରନ୍ ଲେଖାଏଁ କରିଥିଲେ । ବିପକ୍ଷ ବୋଲର୍ ୱାଶିଂଟନ୍ ସୁନ୍ଦର ୩, ଭୁବନେଶ୍ୱର କୁମାର ୨ ଓ ଟି. ନଟରାଜନ୍ ଗୋଟିଏ ୱିକେଟ୍ ନେଇଥିଲେ ।
ପ୍ରଥମ ଓଭର୍ର ଚତୁର୍ଥ ବଲ୍ରେ ପ୍ରଥମ ୱିକେଟ୍ ହରାଇଥିଲା ଟିମ୍ । ଫିଲ୍ ସଲ୍ଟ ଖାତା ଖୋଲି ନ ପାରି ଭୁବନେଶ୍ୱରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଟିମ୍ର ସଙ୍କଟ ବଳବତ୍ତର ରହିଥିଲା ଏବଂ ୬୨ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ମିଚେଲ୍ ମାର୍ଶ ୨୫ ରନ୍ କରି ନଟରାଜନ୍ଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୨୧)ଙ୍କ ୱିକେଟ୍ ସୁନ୍ଦରଙ୍କ ଖାତାକୁ ଯାଇଥିଲା । ସରଫରାଜ୍ ଖାନ୍ (୧୦) ଓ ଅମନ ହାକିମ୍ ଖାନ୍ (୪) ମଧ୍ୟ ସୁନ୍ଦରଙ୍କ ଶିକାର ହୋଇଥିଲେ ।
ଏହାପରେ ମନୀଷ ଓ ଅକ୍ଷର ମିଶି ସ୍ଥିତି ସମ୍ଭାଳିଥିଲେ । ଷଷ୍ଠ ୱିକେଟ୍ ପାଇଁ ୬୯ ରନ୍ର ଭାଗୀଦାରୀ ହୋଇଥିଲା । ମନୀଷ ୩୪ ରନ୍ କରି ରନ୍ଆଉଟ୍ ହୋଇଯାଇଥିବା ବେଳେ ଅକ୍ଷର (୩୪) ଭୁବନେଶ୍ୱରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ନୋର୍ତଜେ ୨ ଓ ରିପୁଲ ପଟେଲ୍ ୫ ରନ୍ କରି ରନ୍ଆଉଟ୍ ହୋଇଥିଲେ । କୁଲଦୀପ ଯାଦବ ୪ ଓ ଈଶାନ୍ତ ଶର୍ମା ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *