ଓରାଳିରେ ୧୪୪
ସୀମା ବିବାଦରୁ ଲଙ୍କାକାଣ୍ଡ
ହାଟଡିହି, ୧୬ା୪ (ଆପ୍ର): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଓରାଳି ଛକରେ ସୀମା ବିବାଦକୁ ନେଇ ଉତ୍ତେଜନା ତୀବ୍ର ହୋଇଛି । ଶନିବାର ଠାରୁ ଲାଗି ରହିଥିବା ବିବାଦ କ୍ରମଶଃ ଜଟିଳ ରୂପ ନେବାରୁ ରବିବାର ପୂର୍ବାହ୍ନ ୧୧ଟାରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ୧୮ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିବ । ପ୍ରଶାସନ ପକ୍ଷରୁ ପୁଲିସ ବାହିନୀ ମୁତୟନ କରାଯାଇ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରାୟ ୧୪ ଜଣଙ୍କୁ ପୁଲିସ ଅଟକ ରଖିଛି ।
ଓରାଳି ଛକରେ ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗ୍ରାମ ମଧ୍ୟରେ ଉତ୍ତେଜନା ଉଗ୍ର ହୋଇଥିଲା । ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଛନ୍ତି । କାହିଁ କେଉଁ କାଳରୁ ଏହି ଛକକୁ ଓରାଳି ଛକ କୁହାଯାଇ ଆସୁଛି । କିନ୍ତୁ କିଛି ଦିନ ହେଲା ଭଦ୍ରକ ଜିଲ୍ଲା ଆପଣ୍ଡା ଗ୍ରାମର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରିବାକୁ ଦାବି କରିଆସୁଥିଲେ । ଏହାସହିତ ଆପଣ୍ଡା ଛକ ଲେଖା ଥିବା ସୂଚନା ଫଳକ ଲଗାଉଥିବା ବେଳେ ଓରାଳିର କିଛି ଲୋକ ବିରୋଧ କରିବାକୁ ସଂଘର୍ଷ ଘଟିଥିଲା । ଶନିବାର ରାତି ପ୍ରାୟ ୮ଟାରେ ଆପଣ୍ଡା ଗ୍ରାମର ଶତାଧିକ ଲୋକ ସେଠାରେ ଥିବା ଓରାଳି ଲୋକଙ୍କ ଉପରକୁ ଟେକା ପଥର ମାଡ କରିଥିଲେ । ଏହା ସହିତ ୧୦ରୁ ଊଦ୍ଧ୍ୱର୍ ଦୋକାନ ଭଙ୍ଗାରୁଜା କରିବା ପରେ ୨ ବାଇକ୍ ଓ ୨ କାରରେ ନିଆଁ ଲଗାଇ ଦେଇଥିଲେ ବୋଲି ଓରାଳି ଲୋକେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ୍ଡଗୋଳ, ପୋଡାଜଳା ·ଲିଥିଲା । ଖବର ପାଇ ବନ୍ତ ପୁଲିସ, ଆଗରପଡା ପୁଲିସ, ଭଦ୍ରକ ଏସ୍ଡିପିଓ, ବନ୍ତ ତହସିଲଦାର ଓ କେନ୍ଦୁଝର ଜିଲ୍ଲାର ନନ୍ଦୀପଦା ପୁଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ୧୪୪ଧାରା ଜାରି ୨୦୦ ମିଟର ଦୂରରେ କେହି ଏକତ୍ରିତ ହୋଇପାରିବେ ନାହିଁ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇ ଗଣ୍ଡଗୋଳକାରୀଙ୍କୁ ଦେଖିବାମାତ୍ରେ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ବିତାଇବା ଲାଗି ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ।