ସୁଧୁରୁଛି ସମ୍ବଲପୁର ସ୍ଥିତି

ଭୁବନେଶ୍ୱର, ୧୬ା୪(ବୁ୍ୟରୋ): ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର ସହର । ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ୧୪ ତାରିଖରୁ ଅଶାନ୍ତ ହୋଇପଡିଥିଲା ସମ୍ବଲପୁର । ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଫୁ୍ୟର ଅବଧିକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସକାଳ ୮ଟାରୁ ୧୦ଟା ଓ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । ଏବେ ଏହି ଅବଧିକୁ ପୁଣି ବଢାଇ ଦିଆଯାଇଛି । ଆସନ୍ତାକାଲି ଠାରୁ ସକାଳ ସାଢେ ୭ରୁ ଦିନ ସାଢେ ୧୧ଟା ଓ ଅପରାହ୍ନ ସାଢେ ୩ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫୁ୍ୟ କୋହଳ ହେବ ।
ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ସମୟରେ ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରରେ କର୍ଫୁ୍ୟ ବଳବତ୍ତର ଥିବା ବେଳେ ରବିବାର ସନ୍ଧ୍ୟାରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କା୍ୟର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏସିଏସ୍‌ ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ପରସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ । ଖୁବ ଶୀଘ୍ର ପରସ୍ଥିତି ସ୍ୱାଭାବିକ ହେବ । ଏଥିପାଇଁ ବିଚାରବିମର୍ଶ କରୁଛୁ । କର୍ଫୁ୍ୟ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି । ଆସନ୍ତାକାଲି ମଧ୍ୟ ଆଲୋଚନା ଜାରି ରହିବ । ସମସ୍ତେ ଭାଇଚାରା ବଜାୟ ରଖନ୍ତୁ, କାରଣ ସମ୍ବଲପୁର ସଂସ୍କୃତି ସମ୍ପନ୍ନ ଓ ଉନ୍ନତ ସହର । ଆଜି ସମ୍ବଲପୁରରେ ୩୦୦୦ ପିଲା ସୁରୁଖୁରୁରେ ପରୀକ୍ଷା ଦେଇଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଉପଜିଲ୍ଲାପାଳ, ମ୍ୟୁନିସିପାଲିଟିର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଶନିବାର ଓ ରବିବାର ଦିନ ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ସୁନୀଲ ବଂଶଲ ସମ୍ବଲପୁରରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏସମ୍ପର୍କରେ ସୂଚନା ଦେଇ ଡିଜି ଶ୍ରୀ ବଂଶଲ କହିଥିଲେ ଯେ, ସ୍ଥିତି ସୁଧୁରିଲେ କର୍ଫୁ୍ୟ ହଟିବ । ଏବେ ତ କର୍ଫୁ୍ୟ ବଳବତ୍ତର ରହିଛି । ହେଲେ ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ । ସେ ଆହୁରି କହିଥିଲେ ଯେ ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସମ୍ବଲପୁରରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି । ଜନସାଧାରଣଙ୍କୁୁ ସହଯୋଗ କରିବାକୁ ଅପିଲ କରାଯାଇଛି । ଅପ୍ରୀତିକର ଘଟଣାରେ ସଂପୃକ୍ତ ଲାକଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପୂର୍ବରୁ ଗତ ୧୪ ତାରିଖ ପଥର ମାଡ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ହିଂସାକାଣ୍ଡରେ ସମ୍ପକ୍ତ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ଗିରଫ କରି କାର୍ଟ ଚାଲାଣ କରାଯିବ । ଆଜିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଥିନ୍ନ ରହିଛି । ପ୍ରଶାସନ ଜିଲ୍ଲାର ସୀମା (ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁବର୍ଣ୍ଣପୁରକୁ ଲାଗିଥିବା ଅଞ୍ଚଳ)କୁ ସିଲ କରିଦେଇଛି । ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ରହିଛି । ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସହରର ଚାରିଆଡେ ପୁଲିସ ଛାଉଣୀ ଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *