କୋଟିଆରେ ଆନ୍ଧ୍ରର ଆଧାର କ୍ୟାମ୍ପ୍
ସେମ୍ବୀ ଗାଁରେ ଶିବିର ଖୋଲିଛି ଆନ୍ଧ୍ର ପ୍ରଶାସନ
କୋରାପୁଟ, ୧୫ା୪ (ଆପ୍ର): କୋଟିଆକୁ ଅକ୍ତିଆର କରିବାକୁ ନୂଆନୂଆ ଚାଲ ଖେଳୁଛନ୍ତି ଆନ୍ଧ୍ର ସରକାର । ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆବାସୀଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛି ଆନ୍ଧ୍ର ପ୍ରଶାସନ । ଏଥର ଏକ ନୂଆ ପ୍ରୟାସ ଚଳାଇଛି । କୋଟିଆ ପଞ୍ଚାୟତର ସେମ୍ବି ଗ୍ରାମରେ ଆଧାର କ୍ୟାମ୍ପ କରି ଆଧାରକାର୍ଡ ସଂଶୋଧନ ଓ ନୂଆ ଆଧାରକାର୍ଡ ପାଇଁ ପଞ୍ଜୀକରଣ ଚାଲିଛି । ଆନ୍ଧ୍ରର ପାର୍ବତୀପୁରମ୍ ମଣ୍ଡଳର ପ୍ରଶାସନିକ ଅଧିକାରୀମାନେ ଜଣକ ଘରେ କ୍ୟାମ୍ପ କରି ଲୁଚାଛପାରେ ଆଧାର କାର୍ଡ କାମ କରୁଛନ୍ତି । ଗୁରୁବାରଠୁ କ୍ୟାମ୍ପ ଆରମ୍ଭ ହୋଇଛି ଓ ଏହା ୧୦ ଦିନ ଚାଲିବ ବୋଲି ସୂଚନା ମିଳିଛି । ନୂତନ ଆଧାର କାର୍ଡ ଓ ପୁରୁଣା କାର୍ଡ ସଂଶୋଧନ ପାଇଁ ସ୍ଥାନୀୟ ଲୋକେ ଭିଡ଼ ଜମାଉଛନ୍ତି । ଅଫିସର୍ମାନେ ସକାଳେ ଆସି ଅପରାହ୍ଣରେ ·ଲିଯାଉଛନ୍ତି । ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରନି । ତେବେ କେବଳ ବିବାଦ ବଢ଼ାଇବାକୁ ଆନ୍ଧ୍ର ଅଧିକାରୀମାନେ ଏହା କରୁଛନ୍ତି ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ପ୍ରକାଶ କରିଛନ୍ତି । ଦୁଇ ଦୁଇଟି ଆଧାରକାର୍ଡ ସମସ୍ୟା ସୃଷ୍ଟି କରିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାକୁ ବନ୍ଦ କରାଯାଉ ବୋଲି ସେ ଦାବିି କରିଛନ୍ତି ।