୧୬ରୁ କାଳବୈଶାଖୀ
ଭୁବନେଶ୍ୱର/ବାରିପଦା, ୧୪ା୪ (ବୁ୍ୟରୋ/ଆପ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ଓଡିଶା ଜଳୁଛି । ଉପାନ୍ତରୁ ଉପକୂଳ ସବୁଠି ଅଗ୍ନି ବର୍ଷା ଜାରି ରହିଥିବା ବେଳେ ଦିନକ ପରେ ଏଥିରୁ ସାମନ୍ୟ ତ୍ରାହି ମିଳିବାର ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖ ଠାରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁର ପ୍ରବାହ କମିବ । ଏହାର ପ୍ରଭାବରେ ତାତି କମିବା ସହିତ କାଳବୈଶାଖୀର ସୃଷ୍ଟି ହୋଇପାରେ ।
ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ଦିନ ରାଜ୍ୟରେ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ଅନୁଗୁଳ ସହିତ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ରୁ ତାତି ବଢିବା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ଶୁକ୍ରବାର ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବାରିପଦାର ପାରଦ ୪୪ ଡିଗ୍ରୀ ଛୁଇଁବା ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ସେହିପରି କଟକ ସହରର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦.୬ ରେକର୍ଡ କରାଯାଇଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡିଛି । ଶନିବାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ଦେବଗଡରେ ହିଟ୍ ୱେଭ କଣ୍ଡିସନ୍ ରହିବ । ଏହାର ପ୍ରଭାବରେ ଅଂଶୁଘାତ ଆଶଙ୍କା ରହିଛି । ଏହାର ମୁକାବିଲା କରିବା ପାଇଁ ଅବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
୪୪ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଲା ବାରିପଦା । ମୁଣ୍ଡଫଟା ଖରାରକୁ ନେଇ ଶୁକ୍ରବାର ତାତିର ପ୍ରକୋପ ଅନେକ ମାତ୍ରାରେ ରହିଥିଲା । ଯାହାକୁ ନେଇ ରାସ୍ତାଘାଟ ଦିନ ବେଳେ ଶୂନଶାନ ପଡିଥିବା ବେଳେ ବାରିପଦା ସହରରେ ଅଘୋଷିତ କର୍ଫୁ୍ୟ ଲାଗିଥିଲା । ଅସହ୍ୟ ଗୁଳୁଗୁଳି ସହ ରୌଦ୍ର ତାପ ଅନୁଭୂତ ହେଉଛି । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୁରୁବାର ୪୩.୫ ଡିଗ୍ରୀ ତାପମାତ୍ରା ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ଶୁକ୍ରବାର ତାପମାତ୍ରା ୪୪ଡିଗ୍ରୀ ସହ ସବୁ ରେକର୍ଡ ଭାଙ୍ଗି ରାଜ୍ୟର ସବୁଠି ଉତ୍ତପ୍ତ ସହର ବାରିପଦା ହୋଇଛି । ତେବେ ଆଗକୁ ଦିନ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରୌଦ୍ର ତାପକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତନ୍ତ୍ର ଦୃଷ୍ଟି ଦିଆଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ କାମ ନ ଥିଲେ ଦିନ ୧୧ଟା ପରେ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି । ଅଂଶୁଘାତରୁ ରକ୍ଷା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କରାଯାଉଛି । ଅଂଶୁଘାତ ଚିକିତ୍ସା କରିବା ପାଇଁ ଜିଲ୍ଲାର ସମସ୍ତ ସିଏଚ୍ସି ସ୍ୱତନ୍ତ୍ର ଚିକିତ୍ସା ପ୍ରକୋଷ୍ଠ କରିବା ସହ ବାରିପଦା ପିଆର୍ଏମ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଏସ୍ସି ପ୍ରକୋଷ୍ଠ କରାଯାଇଛି । ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡ ଓ ପଞ୍ଚାୟତରେ ଜଳଛତ୍ର ଖୋଲିବା ସହିତ ଘର ଅଗଣା ଓ ଛାତରେ ପଶୁପକ୍ଷୀଙ୍କ ଉଦେ୍ଦଶ୍ୟରେ ପାତ୍ରରେ ପାଣି ରଖିବାକୁ ଅନୁରୋଧ କରାଯାଇଛି । ଯାତ୍ରୀବାହୀ ବସରେ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।