କାଠ ଅଭାବ ନେଇ ଉଦ୍ବେଗ

ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ
ପୁରୀ, ୧୧ା୪(ବୁ୍ୟରୋ): ଜୁନ୍ ୨୦ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହି ସମୟରେ ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇ ଖୁସିରେ ଫେରିବେ ସେ ନେଇ ମଙ୍ଗଳବାର ସ୍ଥାନୀୟ ପୌରସଦନ ଠାରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ବୈଠକରେ ମହାପ୍ରଭୁଙ୍କ ଯାତ୍ରା କିଭଳି ଶୃଙ୍ଖଳିତ ସମାପନ ହେବ ସେ ନେଇ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଶେଷ କରି ବୈଠକରେ ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା କାଠର ଅଭାବ ନେଇ ବୈଠକରେ ଉଦ୍ବେଗ ପ୍ରକାଶ କରିଥିଲେ ସେବାୟତ । ପ୍ରତ୍ୟେକ ବର୍ଷ ତିନି ରଥ ନିର୍ମାଣ ଲାଗି ସାତଶହରୁ ଆଠ ଶହ କାଠ ଆବଶ୍ୟକ ରହିଛି । ଏହି କାଠ ନୟାଗଡ଼ ବନଖଣ୍ଡ ଯୋଗାଇବା ଲାଗି ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଲିପିବଦ୍ଧ ହୋଇରହିଥିବା ବେଳେ ଏବେ ବୌଦ୍ଧ ସମେତ ଅନ୍ୟାନ୍ୟ ଜିଲ୍ଲାର ଜଙ୍ଗଲରୁ ରଥକାଠ ଆସୁଛି । ତତ୍ସହିତ ଆବଶ୍ୟକ କାଠ ସଠିକ୍ ସମୟରେ ରଥଖଳାରେ ପହଞ୍ଚô ପାରୁନି । ଯାହାକୁ ନେଇ ବିଶ୍ୱକର୍ମା ମହାରଣାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ପ୍ରକାଶ କରିଥିଲେ । ଏପରିକି ଗତ ୨୦୦୩ ମସିହାରେ ନୟାଗଡ଼ ଜିଲ୍ଲାରେ ଶ୍ରୀଜଗନ୍ନାଥ ବନପ୍ରକଳ୍ପ ଯୋଜନାରେ ଅନେକ ଗଛ ଲାଗିଥିଲା । ତାହା ଏବେ ଦେଖିବାକୁ ମିଳୁ ନାହିଁ । ଏପରିକି ସେହି ଯୋଜନା ମଧ୍ୟ ଆଉ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଆଗାମୀ ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ କାଠର ଘୋର ଅଭାବ ଦେଖାଯିବ ବୋଲି ସେବାୟତମାନେ ମତ ଦେଇଥିଲେ । ଏନେଇ ଖୁବ୍ଶୀଘ୍ର ଡାଟାବେସ୍ ପ୍ରସ୍ତୁତ କରାଯାଇ କେଉଁ ଜଙ୍ଗଳରେ କେତେ କାଠ ରହିଛି ତାହା ପ୍ରସ୍ତୁତ କରାଯିବ । ସେହିଭଳି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଥିଲା । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିମଳ, ପୌରପାଳିକା, ପରିବହନ, ବିଦୁ୍ୟତ୍, ସହରର ରାସ୍ତାଘାଟ, ଜାତୀୟ ରାଜପଥ, ପାର୍କିଂସ୍ଥଳ, ଶାନ୍ତିଶୃଙ୍ଖଳା ରକ୍ଷା, ପଲ୍ଲିଶ୍ରୀମେଳା ସମେତ ଅନ୍ୟାନ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଆଇନ ବିଭାଗ ସଚିବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସେବାୟତମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *