ଧୋଇଗଲା ସଂସଦ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ, ୬ା୪: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗୁରୁବାର ଶେଷ ହୋଇଛି । ଏହାସହିତ ଲୋକସଭା ଓ ରାଜ୍ୟସଭାକୁ ଅନିଶ୍ଚିତକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଗୁରୁବାର ଶେଷ ଦିନରେ ବି ପ୍ରବଳ ହଙ୍ଗାମା ଯୋଗୁଁ ଉଭୟ ସଦନରେ କୌଣସି କାର୍ଯ୍ୟ ହୋଇପାରିନାହିଁ । ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାହୁଲ ଗାନ୍ଧୀ ଓ ଅଡାନୀ ପ୍ରସଙ୍ଗ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିଲା ।
ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି, ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭାରେ ୩୪ ପ୍ରତିଶତ ଓ ରାଜ୍ୟସଭାରେ ୨୪.୪ ପ୍ରତିଶତ କାର୍ଯ୍ୟ ସମ୍ପାଦିତ ହୋଇଛି । ବଜେଟ୍ ଅଧିବେଶନରେ ଲୋକସଭା ଅବଧି୧୩୩.୬ ଘଣ୍ଟା ନିର୍ଦ୍ଧାରିତ ହୋଇଥିବାସ୍ଥଳେ ମାତ୍ର ୪୫ ଘଣ୍ଟା ଚାଲିଥିଲା । ସେହିପରି ରାଜ୍ୟସଭାରେ ୧୩୦ ଘଣ୍ଟାର ନିର୍ଦ୍ଧାରିତ ଅବଧି ମଧ୍ୟରୁ ମାତ୍ର ୩୧ ଘଣ୍ଟା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ୫୦ ଲକ୍ଷ କୋଟି ଟଙ୍କାର ବଜେଟ୍ ବିନା ଆଲୋଚନାରେ ସରକାର ମାତ୍ର ୧୨ ମିନିଟ୍ରେ ପାସ୍ କରାଇ ନେଇଛନ୍ତି ।
ସଂସଦ ଠିକ୍ ରୂପେ ଚାଲି ନ ପାରିବା ଉଭୟ ପକ୍ଷ ପରସ୍ପର ଉପରେ ଦୋଷାରୋପ କରିଛନ୍ତି । ଅପରପକ୍ଷେ ଲୋକସଭା ବାଚସ୍ପତି ଓମ୍ ବିରଳା ହଙ୍ଗାମା କରିଥିବା ସାଂସଦମାନଙ୍କୁ ନିନ୍ଦା କରିବା ସହ କହିଛନ୍ତି, ସେମାନଙ୍କ ଆଚରଣ ସଂସଦ ପାଇଁ ଦେଶ ପାଇଁ ହିତକର ନୁହେଁ । ଅଧିବେଶନର ଶେଷ ଦିନରେ ବିରୋଧୀ ସାଂସଦମାନେ ସଂସଦ ପରିସରରୁ ବିଜୟଚୌକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ । ସେଥିରେ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍ଗେ ଯୋଗଦେଇଥିଲେ । ଗୁରୁବାର ଶେଷ ଦିନରେ ବାଚସ୍ପତି ଶ୍ରୀ ବିରଳା ସାଂସଦମାନଙ୍କ ଶିଷ୍ଟାଚାର ବୈଠକ ଡାକିଥିଲେ । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । କଂଗ୍ରେସ ସମେତ ୧୩ ଦଳ ଏହି ବୈଠକକୁ ବର୍ଜନ କରିଥିବା ଜଣାଯାଇଛି ।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି, ସଂସଦକୁ ଚଳାଇ ନ ଦେବା ପାଇଁ କଂଗ୍ରେସ ଆରମ୍ଭରୁହିଁ ମନସ୍ଥ କରିଥିଲା । ଅବାନ୍ତର ଦାବି ଉଠାଇ ଗୃହକୁ ସେମାନେ ଚଳାଇ ଦେଇ ନ ଥିଲେ । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ।