୮୧ ରନ୍ରେ ଜିତିଲା କେକେଆର୍
ଆଇପିଏଲ୍-୧୬
କୋଲକାତା, ୬ା୪ (ଏଜେନ୍ସି): ଶାର୍ଦ୍ଦୂଳ ଠାକୁରଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍ ଓ ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ସହାୟତାରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ର ନବମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍ରେ ପରାସ୍ତ କରିଛି ।
୨୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଙ୍ଗାଲୋର ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୪ ଓଭର୍ରେ ମାତ୍ର ୧୨୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ବିପକ୍ଷ ବୋଲର୍ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ ୱିକେଟ୍ ନେଇଥିଲେ ।
୬୧ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ଙ୍କ ଓପନିଂ ଯୋଡ଼ି ୪୪ ରନ୍ରେ ଭାଙ୍ଗିଥିଲା । କୋହଲି ୨୧ ରନ୍ ନରେନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହା ପର ଠାରୁ ସଙ୍କଟ ଆରମ୍ଭ ହୋଇଯାଇଥିଲା । ଫାଫ୍ ୨୩ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମ୍ୟାକ୍ସୱେଲ (୫), ହର୍ଷଲ ପଟେଲ୍ (୦), ଶାହବାଜ ଅହମଦ (୧) ଦୁଇ ଅଙ୍କ ଛୁଇଁପାରି ନ ଥିବା ବେଳେ ମିଚେଲ୍ ବ୍ରେସ୍ୱେଲ୍ ୧୯, ଅନୁଜ ରାୱତ ୧, ଦିନେଶ କାର୍ତ୍ତିକ ୯, କର୍ଣ୍ଣ ଶର୍ମା ୧ ଓ ଆକାଶ ଦୀପ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ୍ ୱିଲୀ ୨୦ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ବାଙ୍ଗାଲୋର ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲା ।
କୋଲକାତା ଟିମ୍ ଗୋଟିଏ ସମୟରେ ୫ ୱିକେଟ୍ ହରାଇଥିଲା । ସେତେବେଳେ ବ୍ୟାଟିଂ ପାଇଁ ଆସିଥିବା ଶାର୍ଦ୍ଦୂଳ ବଡ଼ ବଡ଼ ସଟ୍ ଲଗାଇଥିଲେ । ସେ ୨୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିବା ସହିତ ୪୭ ବଲ୍ରୁ ୧୦୩ ରନ୍ର ଭାଗୀଦାରୀ କରିଥିଲେ । ରିଙ୍କୁ ୪୬ ଓ ଶାର୍ଦ୍ଦୂଳ ୬୮ (୨୯ ବଲ୍ରୁ ୯ ଚୌକା ଓ ୩ ଛକା ସହାୟତାରେ) ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ଶାର୍ଦ୍ଦୂଳ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
କୋଲକାତାର ରହମାନୁଲ୍ଲା ଗୁରବାଜ ୫୭ (୪୪ ବଲ୍ରୁ), ଭେଙ୍କଟେଶ ଆୟର ୩, ନୀତୀଶ ରାଣା ୧ ଏବଂ ମନଦୀପ ସିଂହ ଓ ଆନେ୍ଦ୍ର ରସେଲ୍ ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ । ଉମେଶ ଯାଦବ ୬ ଓ ସୁନୀଲ ନରେନ୍ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ । ବେଙ୍ଗାଲୁରୁ ପକ୍ଷରୁ କର୍ଣ୍ଣ ଶର୍ମା ଓ ଡେଭିଡ୍ ୱିଲୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ହର୍ଷଦ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ମନଦୀପଙ୍କ ଅଲୋଡ଼ା ରେକର୍ଡ
ରହମାନୁଲ୍ଲା ଦ୍ରୁତ ଆରମ୍ଭ କରିଥିଲେ । କିନ୍ତୁ ଚତୁର୍ଥ ଓଭର୍ରେ ୱିଲୀ ଭେଙ୍କଟେଶ ଓ ମନଦୀପଙ୍କୁ ବୋଲ୍ଡ କରି କେକେଆର୍ର ଅଣ୍ଟା ଭାଙ୍ଗି ଦେଇଥିଲେ । ମନଦୀପ ଆଇପିଏଲ୍ରେ ୧୫ତମ ଥର ଶୂନରେ ଆଉଟ୍ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଖେଳାଳିଙ୍କ ତାଲିକାରେ ସେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । କାର୍ତ୍ତିକ ଓ ରୋହିତ ଶର୍ମା ୧୪ ଥର ଲେଖାଏଁ ଶୂନରେ ଆଉଟ୍ ହୋଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।