ଏ ବର୍ଷ ପ୍ରଚଣ୍ଡ ତାତି
ଆଇଏମ୍ଡିର ଚେତାବନୀ
ନୂଆଦିଲ୍ଲୀ, ୧ା୪: ପଶ୍ଚିମା ଝଡ ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ହେବା ଯୋଗୁଁ ମାର୍ଚ୍ଚ ମାସରେ ଗ୍ରୀଷ୍କ ପ୍ରବାହ ଅନୁଭୂତ ହେଲା ନାହିଁ, କିନ୍ତୁ ଏଣିକି ଆରମ୍ଭ ହେବ ଗ୍ରଷ୍ମର ପ୍ରକୋପ । ଆଗାମୀ ଦିନରେ ଅନେକ ରାଜ୍ୟରେ ପ୍ରଚଣ୍ଡ ସୂର୍ଯ୍ୟତାପ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇପାରେ । କେତେକ ରାଜ୍ୟରେ ଲୁ ବହିପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଗ୍ରୀଷ୍ମ ଋତୁର ପାଗ ସମ୍ପର୍କରେ ଶନିବାର ଜାରି କରାଯାଇଥିବା ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି ।
ଆଇଏମ୍ଡି କହିଛି ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ ମଧ୍ୟ, ପୂର୍ବ ଓ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଇଲାକାରେ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବ । ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଓ ହରିଆନାରେ ହିଟ୍ୱେଭ୍ ଦିବସ ସଂଖ୍ୟା ବଢ଼ିପାରେ । ଦିନର ସର୍ବାଧିକ ତାପମାତ୍ରା ସମତଳ ଇଲାକାରେ ଅତିକମ୍ରେ ୪୦ ଡିଗ୍ରୀ ସେଲ୍ସିଅସ୍ , ଉପକୂଳ ଜାଗାରେ ୩୭ ଡିଗ୍ରୀ ସେଲ୍ସିଅସ୍ ଓ ପାର୍ବତ୍ୟାଞ୍ଚଳରେ ୩୦ ଡିଗ୍ରୀ ସେଲ୍ସିଅସ୍ ହେଲେ ଗ୍ରୀଷ୍ମ ପ୍ରବାହ ହେଲା ବୋଲି ଘୋଷଣା କରାଯାଇଥାଏ । ତାପମାତ୍ରାରେ ୪.୫ ଡିଗ୍ରୀ ସେଲସିଅସ୍ ଫରକ ରହିଲେ ତାହା ସ୍ୱାଭାବିକ ତାପମାତ୍ରାଠାରୁ କମ୍ ବା ବେଶୀ ବୋଲି କୁହାଯାଏ । ଚଳିତ ଗ୍ରୀଷ୍ମ ଋତୁ (ଏପ୍ରିଲ୍-ଜୁନ୍)ରେ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଭାରତକୁ ଛାଡି ଅଧିକାଂଶ ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବ ବୋଲି ଆଇଏମ୍ଡି ଚେତାବନୀ ଦେଇଛି ।
ଆଇଏମ୍ଡି ମଧ୍ୟ ଗ୍ରୀଷ୍ମ ଋତୁରେ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଛି । ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଏପ୍ରିଲ୍ରେ ସାମାନ୍ୟ ବର୍ଷା ହୋଇପାରେ ।