ଗୁଜରାଟକୁ ୧୭୯ ବିିଜୟଲକ୍ଷ୍ୟ
ଆଇପିଏଲ୍-୧୬
ଅହମଦାବାଦ, ୩୦ା୩ (ଏଜେନ୍ସି): ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଘରୋଇ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍’ର ଷୋଡ଼ଶ ସଂସ୍କରଣ । ଚାରି ବର୍ଷର ବ୍ୟବଧାନ ପରେ ଆଇପିଏଲ୍ ତା’ର ପାରମ୍ପରିକ ଘର ଓ ବାହାର ଫର୍ମାଟ୍କୁ ଫେରିଛି । ପୂର୍ବ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ଓ ଚାରି ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ମ୍ୟାଚ୍ରୁ ନୂଆ ସିଜନ୍ ଆରମ୍ଭ ହୋଇଛି ।
ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୭୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ରିପୋର୍ଟ ଲେଖା ଶେଷ ହେବା ବେଳକୁ ଗୁଜରାଟ ଟାଇଟନ୍ସ ୧୪ ଓଭର୍ରେ ୩ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା । ଶୁଭମନ ଗିଲ୍ ୫୬ ଓ ବିଜୟ ଶଙ୍କର ୯ ରନ୍ କରି ଅପରାଜିତ ଥିଲେ ।
୧୭୯ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ଗୁଜରାଟ ଟିମ୍ ପକ୍ଷରୁ ରିଦ୍ଧିମାନ ସାହା ଓ ଶୁଭମନଙ୍କ ଓପନିଂ ଯୋଡ଼ି ୩୭ ରନ୍ ଯୋଗ କରିଥିଲେ । ସାହା ୨୫ ରନ୍ କରି ନବାଗତ ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଶୁଭମନ ଓ ସାଇ ସୁଦର୍ଶନ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଗ କରିଥିଲେ । ସୁଦର୍ଶନ (୨୨) ବି ହଙ୍ଗରଗେକରଙ୍କ ଶିକାର ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ୍ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ ।
ଏହା ପୂର୍ବରୁ ଗୁଜରାଟ ଟାଇଟନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇର ଅଲ୍ରାଉଣ୍ଡର୍ ରାଜବର୍ଦ୍ଧନ ହଙ୍ଗରଗେକର ଆଇପିଏଲ୍ରେ ପଦାର୍ପଣ କରିଥିଲେ ଯେତେବେଳେକି ବେନ୍ ଷ୍ଟୋକ୍ସ ଟିମ୍ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିଲେ ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲେ । ଟିମ୍ ପକ୍ଷରୁ ଋତୁରାଜ ଗାଏକୱାଡ଼ ସର୍ବାଧିକ ୯୨ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ଶାମୀ, ରଶିଦ ଖାନ୍ ଓ ଅଲଜାରୀ ଯୋସେଫ୍ ଦୁଇଟି ଲେଖାଏଁ ଏବଂ ଜୋଶ୍ ଲିଟନ୍ ଗୋଟିଏ ୱିକେଟ୍ ନେଇଥିଲେ ।
ଗାଏକୱାଡ଼ ଟିମ୍କୁ ବିସ୍ଫୋରକ ଆରମ୍ଭ ଦେଇଥିଲେ । ସେ ମାତ୍ର ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ଟିମ୍ର ସ୍କୋର୍କୁ ୧୫୦ ଅତିକ୍ରମ କରାଇଥିଲେ । ସେ ୫୦ ବଲ୍ରୁ ୯୨ ରନ୍ କରି ଯୋସେଫ୍ଙ୍କ ଶିକାର ହୋଇଥିଲେ । ତାଙ୍କ ଇନିଂସ୍ରେ ୪ ଚୌକା ଓ ୯ ଛକା ରହିଥିଲା ।
ତେବେ ଟିମ୍ର ଆରମ୍ଭ ଭଲ ନ ଥିଲା । ଓପନର୍ ଡେଭନ୍ କନୱେ ୧ ରନ୍ କରି ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ୧୪ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲ୍ଲୀ ୨୩, ବେନ୍ ଷ୍ଟୋକ୍ସ ୭, ଅମ୍ବାତି ରାୟୁଡ଼ୁ ୧୨, ଶିବମ୍ ଦୁବେ ୧୯, ଜାଡ଼େଜା ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୪ ଓ ମିଚେଲ୍ ସାଣ୍ଟନର୍ ୧ ରନ୍ କରି ଅପରାଜିତ ଥିଲେ ।