୧ଠ କୋଟି ଡଲାର ଋଣ
ବାତ୍ୟା ପ୍ରାକ୍ ସୂଚନା ପାଇଁ ଓଡ଼ିଶାକୁ ବିଶ୍ୱବ୍ୟାଙ୍କ ସହାୟତା
ଭୁବନେଶ୍ୱର, ୨୯ା୩(ବୁ୍ୟରୋ): ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ବର୍ତ୍ତିବା ପାଇଁ ଓଡିଶାକୁ ବିଶ୍ୱବ୍ୟାଙ୍କ ୧୦ କୋଟି ଡଲାର ଋଣ ମଞ୍ଜୁର କରିଛି । ବୁଧବାର ଏହି ବିଷୟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇ କୁହାଯାଇଛି ଯେ ଏହି ଋଣ ରାଶି ଉପଯୋଗ କରି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ପ୍ରାକ୍ ସୂଚନା ଡିଜିଟାଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇ ହେବ ।
ଋଣ ପରିଶୋଧ ପାଇଁ ବିଶ୍ୱବ୍ୟାଙ୍କ ୧୨ ବର୍ଷ ୬ ମାସ ସମୟ ଦେଇଛି । ଏହାବାଦ୍ ଆଉ ୩ ବର୍ଷ ଗ୍ରେସ୍ ପିରିୟଡ ମିଳିବ ।
ବିଶ୍ୱବ୍ୟାଙ୍କ ଏକ ବିବୃତିରେ ଉଲ୍ଲେଖ କରିଛି ଯେ ଓଡିଶା ପ୍ରତି ବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି । ଏହି କାରଣରୁ ରାଜ୍ୟବାସୀଙ୍କ ଜୀବନଯାତ୍ରା ବ୍ୟାହତ ହେଉଛି । ତାହାଛଡା ରାଜ୍ୟର ୪୮୦ କିମି ଦୈର୍ଘ୍ୟ ବିଶିଷ୍ଟ ତଟରେଖାରେ ସୁନାମୀ ବିପଦ ରହୁଛି । ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ଅନ୍ଲାଇନ୍ ଡେଲିଭରି ପ୍ଲାଟ୍ଫର୍ମ ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ସୂଚନା ଦେଇ କ୍ଷୟକ୍ଷତି ପରିମାଣ କମାଇବା ସମ୍ଭବ ହେବ । ରାଜ୍ୟ ସରକାରଙ୍କ ଏଜେନ୍ସିମାନେ ଋଣରାଶି ଉପଯୋଗ ପୂର୍ବକ ଡାଟା ସଂଗ୍ରହ ପ୍ରଣାଳୀକୁ ମଜ୍ଭୂତ କରିବା ସଙ୍ଗେ ସଙ୍ଗେ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତର କରିପାରିବେ । ବିପନ୍ନ ଲୋକଙ୍କୁ ନଗଦ ଅର୍ଥରାଶି ଦିଆଯିବ । ଏହାଦ୍ୱାରା ରାଜ୍ୟବାସୀଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉନ୍ନତ ହେବ ବୋଲି ଭାରତ ପାଇଁ ନିଯୁକ୍ତ ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡିରେକ୍ଟର ଅଗଷ୍ଟେ ତାନୋ କୋମେ କହିଛନ୍ତି ।