ଦିନିକିଆ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ
ନିର୍ଣ୍ଣାୟକ ମ୍ୟାଚ୍ରେ ହାରିଲା ଟିମ୍ ଇଣ୍ଡିଆ
ଚେନ୍ନାଇ, ୨୨ା୩ (ଏଜେନ୍ସି): ଏମ୍. ଚିଦାମ୍ବରମ୍ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ୨୧ ରନ୍ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି । ଏହା ସହିତ ଅଷ୍ଟ୍ରେଲିଆ ୨-୧ରେ ଶୃଙ୍ଖଳା ଜିତିଛି । ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲୀୟ ସ୍ପିନର୍ ଆଦାମ୍ ଜମ୍ପା ମ୍ୟାଚ୍ ଓ ମିଚେଲ୍ ମାର୍ଶ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
୨୦୧୯ ପରେ ଘରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ଦିନିକିଆ ଶୃଙ୍ଖଳା ପରାଜୟ । ସେହି ବର୍ଷ ଅଷ୍ଟ୍ରେଲିଆହିଁ ଭାରତକୁ ୩-୨ରେ ହରାଇ ଶୃଙ୍ଖଳା ଜିତିଥିଲା ।
୨୭୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ୪୯.୧ ଓଭର୍ରେ ୨୪୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଟିମ୍ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ୍ କରିଥିଲେ । ବିପକ୍ଷ ବୋଲର୍ ଜମ୍ପା ୪୧ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଆଷ୍ଟନ ଅଗର ୨ ଏବଂ ମାର୍କସ ଷ୍ଟୋଇନିସ୍ ଓ ସିନ୍ ଆବୋଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦୃଢ଼ତାର ସହ ଇନିଂସ୍ ଆରମ୍ଭ କରିଥିଲେ । ଉଭୟ ୫୫ ବଲ୍ରୁ ୬୫ ରନ୍ର ଭାଗୀଦାରୀ କରିଥିଲେ । ରୋହିତ (୧୭ ବଲ୍ରୁ ୩୦)ଙ୍କୁ ଆଉଟ୍ କରି ସିନ୍ ଆବୋଟ୍ ଓପନିଂ ଯୋଡ଼ି ଭାଙ୍ଗିଥିଲେ ।
୧୦ମ ଓଭର୍ର ପ୍ରଥମ ବଲ୍ରେ ରୋହିତ ସ୍କୋୟାର୍ ଲେଗ୍ରେ ମିଚେଲ୍ ଷ୍ଟାର୍କଙ୍କୁ କ୍ୟାଚ୍ ଦେଇଥିଲେ । ଶୁଭମନ (୩୭)ଙ୍କ ଇନିଂସ୍ ବି ଆଉ ବେଶୀ ବାଟ ଯାଇ ନ ଥିଲା । ୧୩ତମ ଓଭର୍ର ଦ୍ୱିତୀୟ ବଲ୍ରେ ଆଦାମ ଜମ୍ପା ତାଙ୍କୁ ଏଲ୍ବିଡବ୍ଲୁ୍ୟ କରିଥିଲେ ।
ଏହାପରେ ବିରାଟ କୋହଲି ନୂଆ ବ୍ୟାଟର୍ ଲୋକେଶ ରାହୁଲଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୯୩ ବଲ୍ରୁ ୬୯ ରନ୍ ଯୋଗ କରିଥିଲେ । ଟିମ୍ ଭଲ ସ୍ଥିତିରେ ଥିବା ବେଳେ ରାହୁଲ (୩୨)ଙ୍କ ୱିକେଟ୍ ପଡ଼ିଥିଲା । ସେ ଜମ୍ପାଙ୍କ ବଲ୍ରେ ଆବୋଟ୍ଙ୍କୁ କ୍ୟାଚ୍ ଦେଇଥିଲେ ।
ଉପରକ୍ରମରେ ଆସିଥିବା ଅକ୍ଷର ପଟେଲ୍ ମାତ୍ର ୨ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଏହାପରେ କୋହଲିଙ୍କ କ୍ରିଜ୍ରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଇତ୍ୟବସରେ କୋହଲି ୬୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଉଭୟ ଇନିଂସ୍କୁ ଆଗେଇ ନେଇ ପଞ୍ଚମ ୱିକେଟ୍ ପାଇଁ ୩୪ ରନ୍ ଯୋଗ କରିଥିଲେ । ଆଷ୍ଟନ ଅଗର ନିଜ ଶେଷ ଓଭର୍ ତଥା ଇନିଂସ୍ର ୩୬ତମ ଓଭର୍ର ପ୍ରଥମ ଦୁଇ ବଲ୍ରେ ଭାରତକୁ ଡବଲ୍ ଝଟ୍କା ଦେଇଥିଲେ । ସେ ପ୍ରଥମ ବଲ୍ରେ କୋହଲି (୭୨ ବଲ୍ରୁ ୫୪)ଙ୍କୁ ୱାର୍ଣ୍ଣରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ପର ବଲ୍ରେ ସୂର୍ଯ୍ୟକୁମାର ଯାଦବ ବିନା ସ୍କୋର୍ରେ ବୋଲ୍ଡ ହୋଇଥିଲେ । କ୍ରମାଗତ ତୃତୀୟ ମ୍ୟାଚ୍ରେ ସୂର୍ଯ୍ୟକୁମାର ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ । ଏହାପରେ କ୍ରିଜ୍କୁ ଆସିଥିଲେ ରବୀନ୍ଦ୍ର ଜାଡ଼େଜା । ଉଭୟ ପାଣ୍ଡ୍ୟା ଓ ଜାଡ଼େଜା ଜଗିରଖି ଖେଳିଥିଲେ । ଉଭୟ ସପ୍ତମ ୱିକେଟ୍ ପାଇଁ ୩୩ ରନ୍ ଯୋଗ କରିଥିଲେ । ଦୁଇ ବ୍ୟାଟର୍ ଜମ୍ପାଙ୍କ ଜାଲରେ ପଡ଼ିଥିଲେ । ପାଣ୍ଡ୍ୟା ୪୦ ବଲ୍ରୁ ୪୦ ଓ ଜାଡ଼େଜା ୧୮ ରନ୍ କରି ଆଉଟ୍ ହୋଇଥିଲେ । ମହମ୍ମଦ ଶାମୀ ୧୪ ରନ୍ କରି ଷ୍ଟୋଇନିସ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିବା ବେଳେ କୁଲଦୀପ ଯାଦବ ୬ ରନ୍ କରି ରନ୍ଆଉଟ୍ ହୋଇଥିଲେ । ମହମ୍ମଦ ସିରାଜ ୩ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭ୍ରମଣକାରୀ ଟିମ୍ରେ କାମେରନ୍ ଗ୍ରୀନ୍ଙ୍କ ସ୍ଥାନରେ ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଅନ୍ୟପଟେ, ଭାରତୀୟ ଏକାଦଶ ଅପରିବର୍ତ୍ତିତ ରହିଥିଲା ।
ଅଷ୍ଟ୍ରେଲୀୟ ଟିମ୍ ୪୯ ଓଭର୍ରେ ୨୬୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ କୌଣସି ବ୍ୟାଟର୍ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ । ଓପନର୍ ମିଚେଲ୍ ମାର୍ଶ ସର୍ବାଧିକ ୪୭ ରନ୍ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ତିନି ଲେଖାଏଁ ଏବଂ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ୍ ଦୁଇ ଲେଖାଏଁ ୱିକେଟ୍ ନେଇଥିଲେ । ରବୀନ୍ଦ୍ର ଜାଡ଼େଜା (୩.୪୦) ସବୁଠାରୁ ଭଲ ଇକୋନୋମୀ ରେଟ୍ରେ ବୋଲିଂ କରିଥିଲେହେଁ କୌଣସି ୱିକେଟ୍ ପାଇ ନ ଥିଲେ ।
ଟ୍ରେଭିସ୍ ହେଡ୍ ଓ ମାର୍ଶ ଟିମ୍କୁ ଦୃଢ଼ ଆରମ୍ଭ ଦେଇଥିଲେ । ଉଭୟଙ୍କ ମଧ୍ୟରେ ୬୫ ବଲ୍ରୁ ୬୮ ରନ୍ର ଭାଗୀଦାରୀ ହୋଇଥିଲା । ହେଡ୍ (୩୩)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ଅଧିନାୟକ ଷ୍ଟିଭେନ୍ ସ୍ମିଥ ଖାତା ଖୋଲି ନ ପାରି ପାଣ୍ଡ୍ୟାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ମାର୍ଶଙ୍କୁ ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ ପାଣ୍ଡ୍ୟା ।
ଡେଭିଡ୍ ୱାର୍ଣ୍ଣର (୨୩) ଓ ମାର୍ନସ ଲାବୁଶନେ (୨୮) ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଉଭୟ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ଏହାପରେ ଆଲେକ୍ସ କାରୀ ଓ ମାର୍କସ ଷ୍ଟୋଇନିସ୍ ଷଷ୍ଠ ୱିକେଟ୍ ପାଇଁ ୫୮ ରନ୍ ଯୋଗ କରି ସ୍ଥିତିରେ ସୁଧାର ଆଣିଥିଲେ । ଷ୍ଟୋଇନିସ୍ (୨୫)ଙ୍କୁ ଅକ୍ଷର ପଟେଲ୍ ଓ କାରୀ (୩୮)ଙ୍କୁ କୁଲଦୀପ ଆଉଟ୍ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆବୋଟ୍ (୨୬) ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଅଗର (୧୭) ଓ ମିଚେଲ୍ ଷ୍ଟାର୍କ (୧୦) ସିରାଜଙ୍କ ଶିକାର ହୋଇଥିଲେ । ଆଦାମ ଜମ୍ପା ୧୦ ରନ୍ କରି ଅପରାଜିତ ଥିଲେ ।